ନୂଆଦିଲ୍ଲୀ: ଦେଶବାସୀଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିଳ୍ପପତି ରତନ ଟାଟାଙ୍କ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ସେ ମଣିଷ ନୁହେଁ ବରଂ ଗୋଟିଏ କୁକୁରକୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି। ସୋସିଆଲ ମିଡ଼ିଆରେ ସେ ଏମିତି ଏକ ଭିଡ଼ିଓ ସେୟାର କରିଛନ୍ତି ଯାହା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ରତନ ଟାଟା ଏକ ରାସ୍ତାରେ ବୁଲୁଥିବା କୁକୁର(ସ୍ପ୍ରାଇଟ)କୁ ପୋଷ୍ୟ ଭାବେ ଗ୍ରହଣ କରିବାର କଥା କହିଥିଲେ। ଯାହା ସମ୍ପର୍କରେ ସେ ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଥିଲେ।

ତେବେ ସେ ଭିଡ଼ିଓରେ ସେ କହିଛନ୍ତି, ଏହି କୁକୁରକୁ ଦେଖିବା ପରେ ମତେ ବହୁତ କଷ୍ଟ ହୋଇଥିଲା। କାରଣ କୌଣସି ଦୁର୍ଘଟଣାରେ କୁକୁରର ଦୁଇଟି ଯାକ ଗୋଡ଼ ପକ୍ଷଘାତ ହୋଇଛି। ଆଉ ସେ ଏବେ ଏକ ସ୍ନେହୀ ପରିବାର ଖୋଜୁଛି। ସ୍ପ୍ରାଇଟ୍ ବହୁତ କଷ୍ଟ ସହିଲାଣି।

ରତନ ଟାଟା ଇନଷ୍ଟାଗ୍ରାମରେ ତିନୋଟି କାହାଣୀ ସେୟାର କରିଛନ୍ତି। କହିଛନ୍ତି, ପୂର୍ବରୁ ମଧ୍ୟ ଏକ ବୁଲା କୁକୁର ସମ୍ପର୍କରେ ମୁଁ ସୋସିଆଲ ମିଡ଼ିଆରେ ସେୟାର କରିଥିଲି। ପରେ ପୁଚ(ବୁଲା କୁକୁର)କୁ ଜଣେ ଦୟାଳୁ ବ୍ୟକ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏବେ ସ୍ପ୍ରାଇଟ(ବୁଲା କୁକୁର)ର ଏକ ଭିଡିଓ ମଧ୍ୟ ରତନ ସେୟାର୍ କରିଛନ୍ତି। ଆଉ ଭିଡ଼ିଓ କ୍ୟାପସନ୍‌ରେ ଲେଖିଛନ୍ତି, ଯଦି ଆପଣମାନଙ୍କୁ ସ୍ପ୍ରାଇଟ୍ କଥା ମନେଥିବ, ତେବେ ସେ କେତେ କଷ୍ଟ ପାଇଛି ତାହା ବି ଆପଣଙ୍କ ମନେ ଥିବ ନିଶ୍ଚିତ। ଏହା ପରେ ସେ ଆନିମଲ୍ ଗାର୍ଡିଆନ୍ସ ମୁମ୍ବାଇ ଏବଂ ପଶୁ ଉଦ୍ଧାରକାରୀ କାଭେରୀ ଭରଦ୍ୱାଜଙ୍କୁ ଧନ୍ୟବାଦ ବି ଜଣାଇଛନ୍ତି। କାରଣ ଭିଡ଼ିଓ ସେୟାର କରିବା ପରେ ସ୍ପ୍ରାଇଟକୁ ସବୁଦିନ ପାଇଁ ଘରଟିଏ ମିଳିଯାଇଛି । ତେବେ ରତନ ଟାଟାଙ୍କ ଏହି ପ୍ରୟାସକୁ ସାରା ଦେଶରେ ବେଶ୍‌ ପ୍ରଶଂସା କରାଯାଉଛି। ଅନେକ ୟୁଜର୍ସ ଏହି ଭିଡ଼ିଓକୁ ଜୋରଦାର ସେୟାର ମଧ୍ୟ କରିଛନ୍ତି।

ଜଣେ ୟୁଜର୍ସ ନିଜ କମେଣ୍ଟରେ କହିଛନ୍ତି, ରତନ ଟାଟା ମଣିଷକୁ ସାହାଯ୍ୟ କରିବାର ଦେଖିଥିଲୁ ହେଲେ ଏବେ ଗୋଟିଏ ଜୀବ ପ୍ରତି ତାଙ୍କ ମନରେ ଥିବା ଅନାବିଳ ଭଲପାଇବା ଦେଖିଲୁ। ଯାହାକୁ ନେଇ ଆମକୁ ବହୁତ ଖୁସି ଲାଗିଲା। ସେପଟେ ଜନ୍‌ ନାମକ ଜଣେ ୟୁଜର୍ସ କଂମେଟ୍‌ରେ କହିଛନ୍ତି, ଯେତେବେଳେ ମୁଁ ପ୍ରଥମେ ଏହି ଭିଡ଼ିଓ ଦେଖିଥିଲି, ସେତେବେଳେ ହେ ଜ୍ଞାନ କରିଥିଲି। କିନ୍ତୁ ପରେ ମୋ ପିଲାମାନେ ଆସି ଏହି ଭିଡ଼ିଓ ଦେଖିବାକୁ ମତେ କହିଥିଲେ। ଆଉ ଯେତେବେଳେ ମୁଁ ସେ ଭିଡ଼ିଓ ପୁଣି ଥରେ ଦେଖିଥିଲି ସେତେବେଳେ କାନ୍ଦ ଲାଗିଥିଲା। ଭଗବାନ ଆମ ସମସ୍ତଙ୍କୁ ହୃଦୟ ଦେଇଛନ୍ତି କିନ୍ତକୁ ବିଶାଳ ହୃଦୟ କିଛି ଲୋକଙ୍କୁ ଦେଇଛନ୍ତି ବୋଲି ସେ କହିଛନ୍ତି।

Other Stories