ବ୍ଲାକ ଫଙ୍ଗସକୁ ନେଇ ସାମ୍ନାକୁ ଆସିଲା ବିରଳ ଘଟଣା, ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଚିନ୍ତା ବଢ଼ାଇ ଥିବାବେଳେ ବ୍ଲାକ ଫଙ୍ଗସକୁ ନେଇ ଆହୁରି ଚିନ୍ତା ବଢ଼ିଛି। ଅନେକ ରାଜ୍ୟ ଏହି ରୋଗକୁ ମହାମାରୀ ଘୋଷିତ କରି ସାରିଲେଣି। ଏସବୁ ଭିତରେ ବ୍ଲାକ ଫଙ୍ଗସକୁ ନେଇ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲରେ mucormycosis ଅର୍ଥାତ ବ୍ଲାକ ଫଙ୍ଗସକୁ ନେଇ ଏହି ବିରଳ ଘଟଣା ସାମ୍ନାକୁ ଆସିଛି। ମେଡିକାଲ ପରୀକ୍ଷଣରୁ ଜଣାପଡ଼ିଛି, ରୋଗୀଙ୍କ ଶରୀରର କ୍ଷୁଦ୍ର ଅନ୍ତନଳୀ( Small Intestine)ରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି। ସିଟି ସ୍କାନ ପରେ ଏହା ଜଣାପଡ଼ିଛି।

ଗଙ୍ଗାରାମ ହସ୍ପିଟାଲର ୨ ରୋଗୀଙ୍କ ଶରୀରର କ୍ଷୁଦ୍ର ଅନ୍ତନଳୀରେ ବ୍ଲାକ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଏହି ଦୁଇ ରୋଗୀଙ୍କ ବୟସ ୫୬ ଓ ୬୮ ବର୍ଷ ବୋଲି ଜଣାପଡ଼ିଛି। ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଷ୍ଟେରଏଡ ଦିଆଯାଇଥିଲା।

ଶୁକ୍ରବାର ଦିନ ଦିଲ୍ଲୀର ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ, ବୁଧବାର ରାତି ପର୍ଯ୍ୟନ୍ତ ଦିଲ୍ଲୀ ହସ୍ପିଟାଲ ଗୁଡିକରେ ବ୍ଲାକ ଫଙ୍ଗସର ୧୯୭ କେସ ସାମ୍ନାକୁ ଆସିଥିଲା। ସେମାନଙ୍କ ମଧ୍ୟରେ ଏମାନେ ବି ଅଛନ୍ତି। ଏମାନେ ବାହାର ରାଜ୍ୟରୁ ଚିକିତ୍ସା ପାଇଁ ଏଠାକୁ ଆସିଛନ୍ତି।

କରୋନା ସହିତ ଦେଶରେ ଏବେ ବ୍ଲାକ ଫଙ୍ଗସ ଚିନ୍ତାର କାରଣ ବଢ଼ାଇଛି। ବ୍ଲାକ ଫଙ୍ଗସକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ବାଲ୍ କହିଛନ୍ତି, ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ  Amphotericin-ବି ଏବେ ଦେଶରେ ସୀମିତ ରହିଛି। ଏହି ଔଷଧ କିଭଳି ଭାବରେ ଅଧିକରୁ ଅଧିକ ତିଆରି କରିହେବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଅତିରିକ୍ତ ଔଷଧ ତିଆରି କରୁଥିବା କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଏବେ ଯେଉଁ କମ୍ପାନୀ ଗୁଡ଼ିକ ଅଛି, ସେମାନେ ମଧ୍ୟ ଉତ୍ପାଦନ ବଢ଼ାଇଛନ୍ତି।

ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏବେ ବେଳ ଥାଉ ଥାଉ ସମସ୍ତେ ସଜାଗ ହୋଇ ଏହି ଭୂତାଣୁ ସହ ଲଢେଇ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ “ବ୍ଲାକ୍ ଫଙ୍ଗସ୍” ଦେଖିବାକୁ ମିଳିଛି।

You might also like