ଲକ୍‌ଡାଉନ୍‌ ଯୋଗୁଁ ଦୁଷ୍କର୍ମ କମିଛି, ଘରୋଇ ହିଂସା ବଢ଼ିଛି

ନୂଆଦିଲ୍ଲୀ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍। ଏହା ଯୋଗୁଁ ଘରୋଇ ହିଂସା ବୃଦ୍ଧି ପାଇଛି। କାରଣ ଜାତୀୟ ମହିଳା କମିଶନଙ୍କ ସୂଚନା ଅନୁସାରେ, ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହେବା ପରଠୁ ୨୫୦ରୁ ଅଧିକ ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୬୯ଟି ଘରୋଇ ହିଂସା ସମ୍ପର୍କିତ ରହିଛି। ଏଭଳି ମାମଲାରେ ଆଶାତୀତ ବୃଦ୍ଧିକୁ ଚିନ୍ତାପ୍ରକଟ କରିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା।

ମାର୍ଚ୍ଚ ୨୪ ପରଠୁ ମହିଳାଙ୍କ ବିରୋଧରେ ୨୫୭ଟି ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଛି। ଏକ ତୁଳନାତ୍ମକ ଚିତ୍ର ଭାବେ କମିଶନ ଅଧ୍ୟକ୍ଷା କହିଛନ୍ତି ଯେ, ମାର୍ଚ୍ଚ ୨ରୁ ୮ ମଧ୍ୟରେ ୩୦ଟି ଘରୋଇ ହିଂସା ଅଭିଯୋଗ ଦାଖଲ ହୋଇଥିବାବେଳେ ମାର୍ଚ୍ଚ ୨୩ରୁ ୩୦ ଭିତରେ ୫୮ଟି ଅର୍ଥାତ୍ ୨ଗୁଣରୁ ଅଧିକ ଅଭିଯୋଗ ଦାଖଲ ହୋଇଛି।

ଉତ୍ତର ପ୍ରଦେଶ ଓ ଦିଲ୍ଲୀରୁ ଅଧିକ ଅଭିଯୋଗ ଆସିଛି। ତେବେ ରୋଚକ ବିଷୟ ହେଉଛି ଲକ୍‌ଡାଉନ୍‌ ପିରିୟଡ୍‌ରେ ଦୁଷ୍କର୍ମ, ଦୁଷ୍କର୍ମ ଉଦ୍ୟମ ଓ ଯୌତୁକ ନିର୍ଯାତନା ଭଳି ଅଭିଯୋଗ ମାତ୍ରା କମିଛି।

ଲକ୍‌ଡାଉନ୍‌ ପୂର୍ବରୁ ଘରୋଇ ହିଂସାର ଶିକାର ମହିଳାମାନେ ବାପଘରକୁ ଚାଲିଯାଉଥିଲେ, କିନ୍ତୁ ଏବେ ତାହା ସମ୍ଭବ ହୋଇପାରୁନି ଓ ସ୍ୱାମୀ ଘରେ ରହୁଥିବାରୁ ସେମାନେ ଥାନାକୁ ଯିବାକୁ ମଧ୍ୟ ଡରୁଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା କହୁଛନ୍ତି।

You might also like