ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ପୀଡ଼ିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ଅଭିଯୁକ୍ତ ୱାର୍ଡବୟ ଗିରଫ

ଗ୍ୱାଲିୟର : ବିକୃତ ମାନସିକତା । ମହାମାରୀ ତାଣ୍ଡବ ଭିତରେ ମଧ୍ୟ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସୁନି ।  ଅକ୍ସିଜେନ୍ ସାହାରାରେ ବଞ୍ଚିଥିବା କରୋନା ପୀଡ଼ିତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ୱାର୍ଡବୟ । ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏପରି ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ୱାର୍ଡବୟକୁ ଗିରଫ କରିଛି ପୋଲିସ୍ ।

ଗ୍ୱାଲିୟରର ଏକ ଘରୋଇ ହସ୍ପିଟାଲର କୋଭିଡ କେୟାର ସେଣ୍ଟରରେ ଘଟିଥିବା ଏପରି ଘଟଣା ବେଶ ହୃଦୟବିଦାରକ । କରୋନାରେ ଆକ୍ରାନ୍ତ ହେବା ପରେ ପୀଡ଼ିତା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଡମିଟ ହେବାର ଗୋଟିଏ ଦିନ ପରେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ଏ‍ବଂ  ତାଙ୍କ ଅକ୍ସିଜେନ୍ ଲେବେଲ କମ ହେବାରୁ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା । ମେଡ଼ିକାଲ ବେଡରେ ମହିଳା ଏପରି ଅସହାୟ ଅବସ୍ଥାରେ ପଡ଼ିଥିଲେ ସୁଦ୍ଧା ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ ।

ମହିଳାଙ୍କ ପୁଅ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଶନିବାର ରାତିରେ ବିବେକ ଲୋଧି ନାମକ ଜଣେ ୱାର୍ଡ ବୟ ମହିଳାଙ୍କ କରୋଠୀକୁ ଯାଇଥିଲେ । କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କ ବେଡ ନିକଟକୁ କାହାକୁ ଅନୁମତି ନଥିଲା । ଆଉ ଏହାର ଫାଇଦା ଉଠାଇ ୱାର୍ଡବୟ ମହିଳାଙ୍କ ସହ ଅସଦାଚାରଣ କରିଥିଲା । ତେବେ ମହିଳା ଜଣକ ଚିତ୍କାର କରିବାରୁ ଭୟରେ ଦୌଡ଼ି ପଳାଇଥିଲା ଅଭିଯୁକ୍ତ । ଏହାପରେ ମହିଳା ଜଣକ ଫୋନ ଯୋଗେ ନିଜ ପୁଅକୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ଆଉ ତା’ପରେ ତୁରନ୍ତ ପରିବାର ଲୋକଙ୍କ ସହ ହସ୍ପିଟାଲରେ ପହଞ୍ଚିଥିଲେ ଯୁବକ ।

ପୋଲିସ ସୂଚନା ଅନୁସାରେ, ସଂପୃକ୍ତ ମହିଳାଙ୍କ ପୁଅଙ୍କ ଅଭିଯୋଗ ଆଧାରରେ ୱାର୍ଡବୟ ବିବେକ ଲୋଧିକୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ ୩୭୬ ଧାରା ଅନୁସାରେ ମାମଲା ଦାୟର କରାଯାଇଛି । ଏହାସହ ପୂରା ମାମଲା ପାଇଁ ଅଭିଯୁକ୍ତକୁ ଏବେ ପଚରାଉଚରା କରୁଛି ପୋଲିସ୍ ।  ଅନ୍ୟପଟେ ମେଡ଼ିକାଲ କର୍ତ୍ତୃପକ୍ଷ ବିରୋଧରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ସେମାନଙ୍କ ଦାୟିତ୍ୱହୀନତା ନେଇ ପ୍ରଶ୍ନ ଉଠାଇଛନ୍ତି । ଲୋକେ ବିଶ୍ୱାସରେ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ଆସୁଥିବା ବେଳେ ରୋଗୀ ସହ ଏପରି ହେଲେ ସେମାନେ ଯିବ କୁଆଡ଼େ ।

ସେହିପରି କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶ ଇନ୍ଦୋରର ମହାରାଜା ଯଶବନ୍ତରାଓ (MY) ହସ୍ପିଟାଲ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ମେଡ଼ିକାଲର ଶବଗୃହରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଥିଲେ ଯୁବତୀ ଓ ଦୁଇ ଯୁବକ। ତେବେ ଯୁବକ ଦୁଇ ଜଣ ମେଡ଼ିକାଲକୁ ଠିକାରେ ନେଇଥିବା କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଥିଲା  । ମେଡ଼ିକାଲ ଭିତରର କିଛି ଫଟୋ ଏ‍ବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଘଟଣା ଜଣାପଡ଼ିବା ପରେ ଦୁଇ ଠିକା କର୍ମଚାରୀଙ୍କ ବିରୋଧାରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

You might also like