୨୨ ରୁ ୨୯ ପର୍ଯ୍ୟନ୍ତ ଲକଡାଉନ୍‌ ଘୋଷଣା କଲେ ଝାଡ଼ଖଣ୍ଡ ସରକାର

ସ୍ଥିତି ଗମ୍ଭୀର ପାଇଁ ବଡ଼ ନିଷ୍ପତ୍ତି

ରାଞ୍ଚି: ଭୟଙ୍କର ହେବାରେ ଲାଗିଛି କରୋନା। ସ୍ଥିତି ଅନିୟନ୍ତ୍ରିତ ହେଲାଣି। ତେଣୁ ବାଧ୍ୟ ହୋଇ ଝାଡ଼ଖଣ୍ଡକୁ ଲକଡାଉନ ଘୋଷଣା କଲେ ଝାଡ଼ଖଣ୍ଡ ସରକାର। ସୂଚନା ଅନୁସାରେ,  ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଜାରି ରହିବ। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିବା ପରେ ଝାରଖଣ୍ଡ ସରକାର ରାଜ୍ୟରେ ୮ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶ ଅନୁସାରେ ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ ଏହି ଲକଡାଉନ ବଳବତ୍ତର ରହିବ ବୋଲି ସୂଚନା ମିଳିଛି। କିନ୍ତୁ ଲକଡାଉନ ସମୟରେ କିଛି ଅତ୍ୟାବଶ୍ୟକ ସେବା ଓ ଧାର୍ମିକ ଅନୁଷ୍ଠାନ ଖୋଲା ରହିବ । ଧର୍ମାନୁଷ୍ଠାନ ଖୋଲା ରହିଲେ ବି ଶ୍ରଦ୍ଧାଳୁମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ ହେଲେ ଦେବାଦେବୀଙ୍କ ରୀତିକାନ୍ତି ଅନୁଷ୍ଠିତ ହେବ। ସେହିପରି ଖଣି ଖନନ, ନିର୍ମାଣ ଓ କୃଷି କାର୍ଯ୍ୟ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଆଜି ଝାରଖଣ୍ଡରେ ୨୪ଶହରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖାଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୦,୪୭୭ ରେ ପହଞ୍ଚିଲାଣ। ତେଣୁ ସ୍ଥିତିକୁ ଆୟତ୍ତ କରିବା ଲାଗି ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ସେପଟେ ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି କରୋନା ମହାମାରୀରେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଲାଣି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦କୁ ବୃଦ୍ଧି ପାଇଛି।

ସେହିପରି ଭାବରେ, ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୩୧ ହଜାର ୯୭୭  ଥିବାବେଳେ ୨୪ ଘଣ୍ଟାରେ ୧ ଲକ୍ଷ ୫୪ ହଜାର ୭୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ସମଗ୍ର ଦେଶରେ ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣଙ୍କର ଟିକାକରଣ ହୋଇଛି । ମଙ୍ଗଳବାର ଠାରୁ ଲଗାତାର ୬ ଦିନ ହେଲା ଦେଶରେ ଦୁଇ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଅନୁସାରେ ଏପ୍ରିଲ ୧୯ ସୁଦ୍ଧା ସମଗ୍ର ଦେଶରେ ୨୬,୯୪,୧୪,୦୩୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏବଂ ଗତକାଲି ୧୫,୧୯,୪୮୬ ଜଣ ଲୋକଙ୍କର ସାମ୍ପୁଲ ପରୀକ୍ଷଣ ହୋଇଛି ।

You might also like