ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଲାଗି ଆଦାୟ ହେଲାଣି ୧୯ ଶହ କୋଟି

ମନ୍ଦିର ଲାଗି ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ଆଉ ଏହି ମନ୍ଦିର ନିର୍ମାଣ ଲାଗି ଦେଶର କୋଣ ଅନୁକୋଣରୁ ଆସୁଛି ଭକ୍ତଙ୍କ ଦାନ ଅର୍ଥ। ମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଟଙ୍କା ଆଦାୟ କରିବାରେ ଲାଗିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ। ଆଉ ବର୍ତ୍ତମାନ ସମୟରେ ମନ୍ଦିର ନିର୍ମାଣ ଲାଗି ଟ୍ରଷ୍ଟ ପାଖରେ ପ୍ରାୟ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ରହିଥିବା ନେଇ ସୂଚନା ରହିଛି। ଟଙ୍କା ସମ୍ପର୍କରେ ମନ୍ଦିର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ସମସ୍ତ ସୂଚନା ଦେଇଛନ୍ତି। ଚାରି ଦିନିଆ ଅଯୋଧ୍ୟା ଗସ୍ତରେ ଆସିଥିବା ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଗୁରୁବାର ଦିନ ରାମ ଜନ୍ମଭୂମି ପରିସରରେ ସର୍ଭେ ମଧ୍ୟ କରିଛନ୍ତି।  ତାଙ୍କ ସହ ଲାରସେନ ଓ ଟୋର୍ବୋ ଏବଂ ଟାଟାର ଇଞ୍ଜିନିୟରମାନେ ମଧ୍ୟ ରହିଥିଲେ।

ରାମ ଜନ୍ମଭୂମି ପରିସର ଦେଖିବା ପରେ ସେମାନେ ସମସ୍ତେ ଫୈଜାବାଦରେ ଥିବା ସର୍କିଟ ହାଉସରେ ମନ୍ଦିର ନିର୍ମାଣ ବ୍ଲୁ ପ୍ରିଣ୍ଟ ବିଷୟରେ ଆଲୋଚନା କରିଥିବା ନେଇ ସୂଚନା ମଧ୍ୟ ମିଳିଛି। ଏହାସହ ଏହି ବୈଠକରେ ମନ୍ଦିର ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପାଖାପାଖି ୫ ଘଣ୍ଟାର ମାନସମନ୍ଥନ ପରେ ମନ୍ଦିରର ମୂଳଦୂଆ କେମିତି ସ୍ଥାପନ ହେବ, ତା’ର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ କରାଯାଇଛି।

ଏଠାରେ ଆମେ ସ୍ପଷ୍ଟ ଭାବରେ କହି ରଖୁଛି ଯେ, ରାମ ମନ୍ଦିର ନିର୍ମାଣ ଲାଗି ଜାନୁଆରୀ ୧୫ ତାରିଖରୁ ହିଁ ସାରା ଦେଶରେ ଅର୍ଥ ସଂଗ୍ରହ ଚାଲିଥିଲା। ଆଉ ପ୍ରଭୁଙ୍କ ଦିବ୍ୟ ମନ୍ଦିର ନିର୍ମାଣ ଲାଗି ରାଜନେତାଙ୍କଠାରୁ ଆରମ୍ଭ କରି କ୍ରିକେଟର, ସାଧାରଣ ଜନତା ଏପରିକି ଖୋଦ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ମଧ୍ୟ ଅର୍ଥ ଦାନ କରିଛନ୍ତି। ତେଣୁ ଆଦାୟ ହୋଇଥିବା ସମସ୍ତ ଟଙ୍କାଙ୍କୁ ମିଶାଇଲେ ୧୯ ଶହ କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ ହୋଇ ସାରିଥିବା ନେଇ ସୂଚନା ମିଳିଛି। ଏବେ ମନ୍ଦିର କେମିତି ଭଲରେ ନିର୍ମାଣ ହେବ ସେନେଇ ମାନସମନ୍ଥନ ଚାଲିଥିବା ଜଣାଯାଇଛି।

You might also like