ଅଗଷ୍ଟ ୩ କିମ୍ବା ୫ରେ ପଡ଼ିପାରେ ରାମ ମନ୍ଦିର ମୂଳଦୁଆ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମନ୍ଦିର ନିର୍ମାଣ ସଂପର୍କରେ କେତେକ ନିଷ୍ପତ୍ତି ହୋଇଛି।

ମନ୍ଦିର ମୂଳଦୁଆ ପକାଇବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦୁଇଟି ତାରିଖ ଅଗଷ୍ଟ ୩ ଓ ଅଗଷ୍ଟ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହି ଦୁଇ ତାରିଖ ମଧ୍ୟରୁ ଗୋଟିଏ ତାରିଖ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରଷ୍ଟ ପ୍ରସ୍ତାବ ଦେଇଛି । ପ୍ରଧାନମନ୍ତ୍ରୀ ଗୋଟିଏ ତାରିଖ ବାଛିଲେ ସେହିଦିନ ମୂଳଦୁଆ ପଡ଼ିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି।

ମନ୍ଦିର ନିର୍ମାଣ ଲାଗି ଲାର୍ସନ ଆଣ୍ଡ ଟୁବ୍ରୋ କଂପାନି ମୃତ୍ତିକାର ନମୁନା ସଂଗ୍ରହ କରିଛି। ଏହାସହ ୬୦ ମିଟର ଗଭୀରରୁ ମନ୍ଦିର ପାଇଁ ମାଟି ନମୁନା ନିଆଯିବା ସହ ଫାଉଣ୍ଡେସନ ଲାଗି ସ୍କେଚ ପ୍ରସ୍ତୁତ କରାଯାଉଛି। ଡ୍ରଇଁ ଅନୁସାରେ ମନ୍ଦିରର ଫାଉଣ୍ଡେସନ ପଡ଼ିବ ବୋଲି ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି।

ତେବେ ମନ୍ଦିରର ଭୂମି ପୂଜା ଲାଗି ପ୍ରଧାନମନ୍ତ୍ରୀ ମୋଦି ଦିନ ସ୍ଥିର କରିଥିବା କୁହାଯାଉଛି। କରୋନା ମହାମାରୀ ପାଇଁ ମନ୍ଦିର ନିର୍ମାଣ ବିଳମ୍ବ ହୋଇଥିବାବେଳେ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଭୂମି ପୂଜା ହୋଇପାରେ। ତେବେ ମନ୍ଦିରର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଷ୍ଟ ସଭାପତି ନୃତ୍ୟ ଗୋପାଳ ଦାସ ଚିଠି ଲେଖିଥିବା କୁହାଯାଇଛି। ଏହାସହ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ଭୂମି ପୂଜାରେ ଉପସ୍ଥିତ ରହିବେ ବୋଲି ଟ୍ରଷ୍ଟ କହିଛି।

You might also like