ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କିଣାଯାଇଥିବା ଜମିରେ ଦୁର୍ନୀତି ହୋଇଥିବା ନେଇ ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ କରାଯିବ । ତଦନ୍ତ ପରେ ଯଦି କିଛି ଅନିୟମିତତା ହୋଇଥିବା ଜଣାପଡ଼େ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ।

ତେବେ ଆପ୍ ଓ ସମାଜବାଦୀ ପାର୍ଟିର ଅଭିଯୋଗକୁ ସେ ତୀବ୍ର ସମାଲୋଚନା କରିଛନ୍ତି । ଯାହାର ହାତ ରାମ ଭକ୍ତଙ୍କ ରକ୍ତରେ ରଙ୍ଗୀନ ହୋଇଛି, ସେମାନେ ପରାମର୍ଶ ଦେବା ଅନାବଶ୍ୟକ ବୋଲି କେଶବ କହିଛନ୍ତି । ସେପଟେ ଜମି ଦୁର୍ନୀତି ଅଭିଯୋଗ ଆଣି ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି । ଏହାସହ ଏହି ଦୁର୍ନୀତି ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗ ଆଣିବା ପୂର୍ବରୁ ସେମାନେ ଟ୍ରଷ୍ଟକୁ କାହିଁକି ପଚାରିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଗତକାଲି ଆପ୍ ନେତା ସଂଜୟ ସିଂହ ଅଭିଯୋଗ କରିଥିଲେ ଯେ, ରାମ ମନ୍ଦିର ନିର୍ମାଣ ଲାଗି ରାମ ଜନ୍ମଭୂମି ଯେଉଁ ଜମି କିଣିଥିଲା, ସେଥିରେ ଦୁର୍ନୀତି ହୋଇଛି । ସ୍ୱଳ୍ପ ଦାମ୍‌ର ଜମିକୁ ଅଧିକ ଟଙ୍କା ଦେଇ କିଣାଯାଇଛି । ଜମିର ଦାମ୍ ୫ ମିନିଟରେ ୨ କୋଟିରୁ ୧୮ କୋଟି ଟଙ୍କା ହୋଇଥିବା ସେ ଅଭିଯୋଗ କରିଛନ୍ତି । ମାର୍ଚ୍ଚ ୧୮ରେ ରାମ ମନ୍ଦିର ଲାଗି ଟ୍ରଷ୍ଟ ପକ୍ଷରୁ ୧୨ ହଜାର ୮୦ ବର୍ଗ ମିଟର ଜମି କିଣାଯାଇଥିଲା । ଏହି ଜମିକୁ ରାମ ଜନ୍ମଭୂମି ଟ୍ରଷ୍ଟ ରବି ମୋହନ ତିଓ୍ୱାରୀ ଓ ସୁଲତାନ ଅନସାରୀଙ୍କ ପାଖରୁ ୧୮ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା ।

ତେବେ ଏହାର ୫ ମିନିଟି ଆଗରୁ ରବିମୋହନ ଓ ସୁଲତାନ ସେହି ଜମିକୁ ହରୀଶ ପାଠକ ଓ କୁସୁମ ପାଠକଙ୍କ ପାଖରୁ ମାତ୍ର ୨ କୋଟି ଟଙ୍କାରେ କିଣିଥିଲେ । ଉଭୟ ଜମି କିଣାବିକା କାରବାରରେ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ରା ଓ ରିଷିକେଷ ଉପାଧ୍ୟାୟ ସାକ୍ଷୀ ପଡ଼ିଥିଲେ । ଜୟଙ୍କ ଅଭିଯୋଗ ଥିଲା ଯେ, ମାତ୍ର ୫ ମିନିଟରେ ୨ କୋଟି ଟଙ୍କାର ଜମି ୧୮.୫ କୋଟି ଟଙ୍କା କିପରି ହେଲା ?

ରାମ ମନ୍ଦିର ନିର୍ମାଣ ପାଇଁ ଜମି କିଣା ଦୁର୍ନୀତି ଅଭିଯୋଗ ମାମଲାରେ ଟ୍ରଷ୍ଟ ସ୍ପଷ୍ଟିକରଣ ରଖିଛି । ଏଥି ସହିତ ଏହି ବିବାଦ ସମ୍ପର୍କିତ ସମସ୍ତ ମାମଲାର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । କେନ୍ଦ୍ର ସରକାରଙ୍କ ବ୍ୟତୀତ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନକୁ ମଧ୍ୟ ଏହି ରିପୋର୍ଟ ପଠାଯାଇଛି । ଏଥିରେ ଜମି କ୍ରୟ ବିଷୟରେ ସମସ୍ତ ସୂଚନା ଦିଆଯିବା ସହ କାହିଁକି ଅଧିକ ଦରରେ ଜମି କିଣାଗଲା ସେନେଇ ସଫେଇ ଦେଇଥିବା ଜଣାପଡିଛି ।

ସେପଟେ ବିବାଦ ନେଇ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ସ୍ପଷ୍ଟିକରଣ ରଖାଯାଇଛି । ପରିଷଦ କହିଛି ଯେ ଜମି ବିକିଥିବା ଏବଂ କିଣିଥିବା ସମସ୍ତଙ୍କ ପକ୍ଷ ଏକାଠି ବସି ଏହି ମୂଲ୍ୟରେ କିଣାବିକା କରିବାକୁ ସହମତି ଦେଇଥିଲେ । ସମ୍ପୂର୍ଣ୍ଣ ପାରଦର୍ଶିତାରେ ଏହି ଜମି କିଣାଯାଇଛି । ଅଯୋଧ୍ୟାରେ ଜମିର ମୂଲ୍ୟ କିଛି ଦିନରେ ଅତ୍ୟଧିକ ବୃଦ୍ଧି ପାଇଥିବାରୁ ମାର୍କେଟ ଦରରେ ଏହା କିଣାଯାଇଥିବା ପରିଷଦର ମୁଖପାତ୍ର ଅଲୋକ କୁମାର କହିଛନ୍ତି ।

ଅନ୍ୟପଟେ ରାମ ମନ୍ଦିର ଜମି କିଣାରେ ଦୁର୍ନୀତି ଅଭିଯୋଗ ପରେ ଆନ୍ଦୋଳନକୁ ଓହ୍ଲାଇଛି ଅଯୋଧ୍ୟା କଂଗ୍ରେସ । ଦଳର ନେତା ଓ କର୍ମୀ ଆଜି ରାମ ଲାଲାଙ୍କ ଦର୍ଶନ କରି ପ୍ରର୍ଥନା କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ । ଯେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରରେ ଅଛି ସେତବେଳେ ଏଭଳି ଦୁର୍ନୀତି ସମସ୍ତଙ୍କୁ ଆଘାତ ଦେଇଛି ବୋଲି ଦଳ କହିଛି । ପ୍ରଭୁ ଶ୍ରୀରାମ ଦୁର୍ନୀତି ଖୋରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଦଳୀୟ ନେତା କହିଛନ୍ତି । ଏହାସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।

Other Stories