ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହଙ୍ଗାମା ଭିତରେ ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍‌। ଅଧିକ ଆଲୋଚନା ପାଇଁ ବିଲ୍‌କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ବିରୋଧୀ ଦଳ ଗୁଡ଼ିକ ଯେଉଁ ପ୍ରସ୍ତାବ ଦେଇଥିଲେ, ତାହା ଅଗ୍ରାହ୍ୟ ହୋଇଛି।

ପୂର୍ବରୁ ଏହି ବିଲ୍‌ ଲୋକସଭାରେ ପାରିତ ହୋଇଥିବାରୁ ଏବେ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଓ gazette‌ରେ ପ୍ରକାଶ ପାଇବା ପରେ ତାହା ଆଇନରେ ପରିଣତ ହେବ। ଏହି ବିଲ୍ ଉପରେ ଆଜି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଥିଲା। ଏହି ବିଲ୍‌କୁ ବିଜେଡି ମଧ୍ୟ ବିରୋଧ କରିଥିଲା। ଏହି ବିଲ୍ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କୁ କୌଣସି ସୁରକ୍ଷା ଦେଉ ନ ଥିବା କହିଥିଲା ବିଜେଡି।

ବିରୋଧୀ ଅଭିଯୋଗ କରିଛନ୍ତି, ପ୍ରଥମତଃ ବିଲ୍ ଚାଷୀ ବିରୋଧୀ। ଏହାସହ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ ନ କରି ବିଲ୍ ପାସ୍ କରାଯାଇଥିବାରୁ ଏହା ଗଣତନ୍ତ୍ରର ହତ୍ୟା।

ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ। କିନ୍ତୁ ବାଚନିକ ଭୋଟରେ ବିଲ୍‌ ରାଜ୍ୟସଭାରେ ପାରିତ ହୋଇଛି। ଅନ୍ୟପକ୍ଷରେ ସରକାର କହିଛନ୍ତି, ଏହି ବିଲ୍ ଦ୍ୱାରା ଚାଷୀଙ୍କୁ ଅନେକ ଫାଇଦା ମିଳିବ।

You might also like