ଜାନୁଆରୀରେ ରାଜନୈତିକ ଦଳ ଗଢ଼ିବେ ସୁପର ଷ୍ଟାର ରଜନୀକାନ୍ତ

ଚେନ୍ନାଇ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ନେତା ହେବାକୁ ଯାଉଛନ୍ତି ତାମିଲ୍‌ ଷ୍ଟାର୍ ରଜନୀକାନ୍ତ। ୨୦୨୧ ଜାନୁଆରିରେ ନିଜର ଦଳ ଗଠନ କରିବେ। ଏନେଇ ଡିସେମ୍ବର ୩୧ ତାରିଖରେ ଏ ବିଷୟରେ ସମସ୍ତ ସୂଚନା ଦେବେ। ଗଣମାଧ୍ୟମକୁ ସୂଚନା ଦେଇ ଏପରି କହିଛନ୍ତି ରଜନୀକାନ୍ତ।

କରୋନା ଭାଇରସ ପାଇଁ ଯୋଜନା ପ୍ରଭାବିତ ହୋଇଥିଲା। ଏବେ ତାମିଲନାଡୁକୁ ପରିବର୍ତ୍ତନ କରିବାର ସମୟ ଆସିଛି। ଯଥା ସମ୍ଭବ ଆମେ ଲୋକଙ୍କ ପାଇଁ କାମ କରିବୁ। ଯଦି ଏହି ସମୟରେ ଆମେ ନକରିପାରିବୁ ତେବେ ଚ୍ୟାଲେଞ୍ଜ ଆଉ ଦ୍ୱିତୀୟ ଥର ଆସିବ ନାହିଁଂ ବୋଲି ରଜନୀକାନ୍ତ କହିଛନ୍ତି। ରାଜନୀତିରେ ବିଜୟ ହେଲେ ଏହା ଲୋକମାନଙ୍କର ବିଜୟ ହେବ ବୋଲି କହିବା ସହିତ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ରଜନୀ।

ନିର୍ବାଚନ ବିଜୟ ଆଶା କରି ରଜନୀ କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଆମେ ନିଶ୍ଚୟ ଜିତିବା ସହିତ ସ୍ୱଚ୍ଛ ଓ ଭ୍ରଷ୍ଟାଚାରୀମୁକ୍ତ ସରକାର ଦେବୁ। ଆମ ସରକାରରେ ରାଜ୍ୟ ପାଇଁ ଏକ ଚମତ୍କାର ନିଶ୍ଚୟ ହେବ ବୋଲି ସେ କହିଛନ୍ତି।

ଗତ ସପ୍ତାହରେ ତାମିଳନାଡ଼ୁର ସମସ୍ତ ଜିଲ୍ଲାରେ ନିଜର ସଚିବ ନିଯୁକ୍ତ କରିଥିଲେ ରଜନୀକାନ୍ତ। ଗତ ଦୁଇ ବର୍ଷ ଧରି ରଜନୀକାନ୍ତ ଦଳ ଗଠନ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ପାର୍ଟି ନାଁ ଘୋଷଣା ନକରିବା ସତ୍ତ୍ୱେ ରାଜନୈତିକ ବୟାନ ଓ ବିଭିନ୍ନ ସମାବେଶରେ ଯୋଗଦେଇଥିଲେ ରଜନୀ। ୩୧ ଡିସେମ୍ବର ୨୦୧୭ରେ ରାଜନୀତିକୁ ଆସିବା ନେଇ ସେ ସୂଚନା ଦେଇଥିଲେ। 

You might also like