କଂଗ୍ରେସ କଳିରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ବସୁନ୍ଧରା

ଜୟପୁର: ରାଜସ୍ଥାନରେ କଂଗ୍ରେସର ଅନ୍ତଃ କଳିରେ ପ୍ରଥମଥର ପାଇଁ ମୁହିଁ ଖୋଲିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। କଂଗ୍ରେସର ଅନ୍ତଃ କନ୍ଦଳରେ ରାଜ୍ୟବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି ଟ୍ୱିଟ୍‌ କରିଛନ୍ତି ବସୁନ୍ଧରା।

ସେ ଟ୍ୱିଟ୍ କରି ଲେଖିଛନ୍ତି “ଏହା ଦୁର୍ଭାଗ୍ୟ ଯେ କଂଗ୍ରେସର ଅନ୍ତଃ କଳିରେ ରାଜସ୍ଥାନବାସୀଙ୍କୁ ମୂଲ୍ୟା ଦେବାକୁ ପଡ଼ୁଛି। ଯେଉଁ ସମୟରେ  କୋଭିଡ-୧୯ ରାଜ୍ୟରେ ୫୦୦ ଲୋକଙ୍କ ଜୀବନ ନେଲାଣି ଓ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ପାର୍‌ କଲାଣି ସେପରି ଗୋଟେ ସମୟରେ ଏଭିଳି ରାଜନୈତିକ ସଂକଟ ଦେଖା ଦେଇଛି। ଯେଉଁ ସମୟରେ ରାଜ୍ୟ ପଙ୍ଗପାଳ ଆକ୍ରମଣର ଶିକାର ହେଉଛି, ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସୀମା ଲଙ୍ଘିଛି, ରାଜ୍ୟରେ ବିଜୁଳି ସମସ୍ୟା ଚରମ ସୀମାରେ ପହଞ୍ଚିଛି। ଏପରି ଗୋଟେ ସମୟରେ କଂଗ୍ରେସ ଅନ୍ତଃ କନ୍ଦଳ ଦେଖାଇଦେଇଛି ବୋଲି ବସୁନ୍ଧରା ଟ୍ୱିଟ୍ କରି ଲେଖିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ,ରାଜ୍ୟରେ ଏଭଳି ଅନେକ ସମସ୍ୟା ରହିଛି। ମୁଁ ସବୁ ଏଠାରେ ଉଲ୍ଲେଖ କରିପାରୁ ନାହିଁ। କଂଗ୍ରେସ ଭାଜପା ଓ ଭାଜପାର ନେତୃତ୍ୱ ଉପରେ ଦୋଷ ଲଦିବାକୁ ପ୍ରୟାଶ କରୁଛି। ସରକାରଙ୍କ ପାଇଁ କେବଳ ଜନତାର ହିତସାଧନ ସର୍ବୋପରି ହେବା ଦରକାର ବୋଲି ବସୁନ୍ଧରା ଟ୍ୱିଟ୍ କରିଛନ୍ତି। ଏଥିସହିତ କେତେବେଳେ ତ ଟିକେ ଜନତା ବିଷୟରେ ଭାବ ବୋଲି ବସୁନ୍ଧରା କଂଗ୍ରେସକୁ କହିଛନ୍ତି।

#RajasthanFirst pic.twitter.com/tkOKWCi2Sz

ରାଜ୍ୟରେ କଂଗ୍ରେସ ବିଜେପି ଉପରେ ବିଧାୟକ ଘୋଡ଼ା ବେପାର ଅଭିଯୋଗ ଆଣିବା ପରେ ଏଭଳି ବୟାନ ଦେଇଛନ୍ତି ବସୁନ୍ଧରା।  ରାଜସ୍ଥାନର ଅଶୋକ ଗେହଲୋଟଙ୍କ ସରକାରକୁ ଭାଙ୍ଗିବା ଲାଗି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛି କଂଗ୍ରେସ। ପାଇଲଟଙ୍କ ଗୋଷ୍ଠୀରେ ଥିବା ବିଦ୍ରୋହୀ ବିଧାୟକ ଭଅଁରଲାଲ୍ ଶର୍ମା ବିଜେପି ନେତା ସଂଜୟ ଜୈନ ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଏ ଷଡ଼ଯନ୍ତ୍ରରେ ସାମିଲ ବୋଲି ଅଭିଯୋଗ କରିଛି ଦଳ।

ସଂଜୟ ଜୈନଙ୍କୁ ଏସ୍ଓଜିର ଗିରଫରୁ ଏହା ସ୍ପଷ୍ଟ ହୋଇଥିବା କଂଗ୍ରେସ କହିଛି ଅଡିଓ ଟେପ୍ ଆସିବା ପରେ ବିଧାୟକ ଭଁଅରଲାଲ୍ ଏବଂ ବିଶ୍ୱେନ୍ଦ୍ର ସିଂହଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କେସ୍ କରିଛି।

ତେବେ କଂଗ୍ରେସର ଏ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଓ ବିଜେପି ଖଣ୍ଡନ କରିଛନ୍ତି। ସମସ୍ତ ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ଥିବା ଶେଖାଓ୍ୱତ କହିଛନ୍ତି।

 

You might also like