୧୦୨ ବିଧାୟକଙ୍କ ସମର୍ଥନ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଅଶୋକ ଗେହଲୋଟ୍

ଜୟପୁର: ରାଜସ୍ଥାନ ରାଜନୀତିକୁ ନେଇ ଏବେ ନୂଆ ଅପ୍‌ଡେଟ୍ ଖବର ସାମ୍ନାକୁ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ରାଜ୍ୟପାଳଙ୍କୁ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଭାରତୀୟ ଟ୍ରାଇବାଲ୍ ପାର୍ଟି(ବିଟିପି)ର ସମର୍ଥନ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଗେହଲୋଟ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ତେବେ ଏସମ୍ପର୍କରେ ଗେହଲଟ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି। କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ଥିବା କହିଛନ୍ତି।

ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ ଦୁଇ ଜଣ ବିଟିପି ବିଧାୟକ ରାଜକୁମାର ରାୱତ ଓ ରାମ ପ୍ରସାଦ ସମର୍ଥନ ଘୋଷଣା କରିଥିଲେ। ଆଜି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସାରଙ୍କ ସହିତ ବିଟିପିର ଦୁଇ ବିଧାୟକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଟିପି ଅଶୋକ ଗେହଲଟ ସରକାରଙ୍କୁ ସମର୍ଥନ କରିବ ବୋଲି ଦୁଇ ବିଧାୟକ କହିଥିଲେ। ତେବେ ପୂର୍ବରୁ ଏମାନେ ଗେହଲଟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

୧୦୨ ବିଧାୟକଙ୍କ ସମର୍ଥନ ହାସଲ କରିଥିବା ଗେହଲଟ ଏବେ ବି ସାମାନ୍ୟ ଆଶା ଆଶଙ୍କା ଭିତରେ ରହୁଛନ୍ତି। ଏଥିପାଇଁ ତାଙ୍କୁ ସମର୍ଥନ କରୁଥିବା ସମସ୍ତ ବିଧାୟକ ଜୟପୁରର ଫେୟାରମଣ୍ଟ ହୋଟେଲରେ ରହିଛନ୍ତି।

You might also like