ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ

ଜୟପୁର: କେରଳ ଓ ପଞ୍ଜାବ ପରେ ଏବେ ରାଜସ୍ଥାନରେ ସିଟିଜେନ୍ସିପ୍‌ ଆମେଣ୍ଡମେଣ୍ଟ ବିଲ୍ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ଏହି ଆଇନ୍‌କୁ ବିରୋଧ କରିବା ସହିତ ଏହାକୁ ଉଠାଇ ନେବାକୁ ଶନିବାର ରାଜସ୍ଥାନ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି।

ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଶାସକ ଦଳ କଂଗ୍ରେସ ଏହି ପ୍ରସ୍ତାବ ରଖିଥିଲା। କେନ୍ଦ୍ର ସରକାର ସିଏଏକୁ ଆଇନ୍‌କୁ ଉଠାଇ ନିଅନ୍ତୁ ବୋଲି ଗୃହରେ ଦାବି କରିଥିଲା ଦଳ। ଯାହାର ଘୋର ବିରୋଧ କରିଥିଲା ବିଜେପି। ଏହାପରେ ଗୃହରେ ହୋହଲ୍ଲା ହୋଇଥିଲା। କେତେକ ବିଜେପି ବିଧାୟକ ଗୃହ ମଝିକୁ ଚାଲି ଆସି ସିଏଏ ସମର୍ଥନରେ ନାରା ଦେଇଥିଲେ।

ତେବେ ପ୍ରସ୍ତାବ ପାରିତ ହେବା ନେଇ ପୂର୍ବରୁ ସୂଚନା ଦେଇସାରିଥିଲେ ରାଜସ୍ତାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍। ସିଏଏ ବିକ୍ଷୋଭାକାରୀଙ୍କ କଥା ସରକାର ଶୁଣିବା ଦରକାର। ସେମାନଙ୍କ ସହିତ ଏ ସମ୍ପର୍କରେ କଥାବାର୍ତ୍ତା କରିବା ଦରକାର। ଏପରି ନହେଲେ ଗଣତନ୍ତ୍ର ଦୁର୍ବଳ ହୋଇଥାଏ ବୋଲି ଶୁକ୍ରବାର କହିଥିଲେ ପାଇଲଟ। ଜାନୁଆରି ୨୮ ତାରିଖରେ ରାହୁଲଙ୍କ ରାଜସ୍ଥାନ ଗସ୍ତ ଥିବାରୁ ଏହାର ତଦାରଖ  ବେଳେ ଏପରି କହିଥିଲେ ପାଇଲଟ। ଏଥିସହିତ ସିଏଏ ବିରୋଧରେ ପ୍ରସ୍ତାବ ଆଣିବା ପାଇଁ ମଧ୍ୟ ସୂଚନା ଦେଇଥିଲେ ଯାହା ଆଜି ପାରିତ ହୋଇଛି।

ଏହା ପୂର୍ବରୁ ଅନ୍ୟ ଦୁଇଟି କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ ଓ କେରଳରେ ମଧ୍ୟ ସିଏଏ ବିରୋଧୀ ପ୍ରସ୍ତାବ ପାରିତ ହୋଇଛି। ରାଜସ୍ତାନକୁ ମିଶାଇଲେ ୩ଟି କଂଗ୍ରେସ ଶାସିତ ରାଜ୍ୟରେ ସିଏଏ ବିରୋଧି ପ୍ରସ୍ତାବ ପାରିତ ହୋଇଛି।

You might also like