ରେଳବାଇର ଶ୍ରଦ୍ଧାଞ୍ଜଳି; ନେତାଜୀଙ୍କ ନାଁରେ ନାମିତ ହେଲା ଏହି ଏକ୍ସପ୍ରେସ୍

ନୂଆଦିଲ୍ଲୀ: ବଦଳିଲା ହାଓଡ଼ା-କାଲ୍‌କା ଏକ୍ସପ୍ରେସର ନାଁ, ଏବେ ଏହି ଟ୍ରେନ୍‌କୁ ଯାତ୍ରୀ ‘ନେତାଜୀ ଏକ୍ସପ୍ରେସ୍‌’ ନାମରେ ଜାଣିବେ। ଜାନୁଆରୀ ୨୩ ତାରିଖରେ ସାରା ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମଦିନ ପାଳିବା ପୂର୍ବରୁ ନେତାଜୀଙ୍କୁ ଆଗୁଆ ସମ୍ମାନ ଜଣାଇଛି ଭାରତୀୟ ରେଳବାଇ। ରେଳବାଇ ଫକ୍ଷରୁ ହାଓଡ଼ା-କାଲ୍‌କା ମେଲ୍‌ର ନାମ ପରିବର୍ତ୍ତନ କରାଯାଇଛି ‘ନେତାଜୀ ଏକ୍ସପ୍ରେସ୍‌’ କରାଯାଇଛି।

ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ବୋଷ ଜାନୁଆରୀ ୨୩ ତାରିଖରେ ୧୮୯୭ ମସିହାରେ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ। ଇଂରେଜ କବଳରୁ ଭାରତକୁ ସ୍ୱାଧୀନ କରିବା ପାଇଁ ସେ ଗଢ଼ିଥିଲେ ଆଜାଦ୍‌ ହିନ୍ଦୀ ଫୌଜ୍।

ଏହି ମହାନ ଆତ୍ମାଙ୍କୁ ସମ୍ମାନ ଜଣାଇ ରେଳବାଇ ହାଓଡ଼ା-କାଲ୍‌କା ମେଲ୍‌ର ନାମ ପରିବର୍ତ୍ତନ କରି ନେତାଜୀ ଏକ୍ସପ୍ରେସ୍‌ ରଖିଛି। ଏନେଇ ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି “ ୧୨୩୧୧/୧୨୩୧୨ ହାଓଡ଼ା-କାଲ୍‌କା ଏକ୍ସପ୍ରେସ୍‌କୁ ନେତାଜୀ ଏକ୍ସପ୍ରେସ୍‌ ନାମକରଣ କରି ଭାରତୀୟ ରେଳବାଇ ଖୁସୀ ଅନୁଭବ କରୁଛି। ନେତାଜୀଙ୍କ ପରାକ୍ରମ ଭାରତକୁ ସ୍ୱାଧୀନତା ଓ ବିକାଶ ଏକ୍ସପ୍ରେସ ପଥରେ ଅଗ୍ରସର କରାଇଥିଲା”

ହାଓଡ଼ା-କାଲ୍‌କା ଏକ୍ସପ୍ରେସର ନାମ ପରିବର୍ତ୍ତନ କରିବା ପାଇଁ ସୂଚନା ଦେଇଥିଲେ ରେଳ ମନ୍ତ୍ରୀ ପିୟୂଷ ଗୋୟଲ୍‌। ରେଳବାଇ ନେତାଜୀଙ୍କ ପରାକ୍ରମକୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ବିଭାଗର ଏକ ପୂରୁଣା ଟ୍ରେନ୍‌ର ନାମ ପରିବର୍ତ୍ତନ କରି ନେତାଜୀ ଏକ୍ସପ୍ରେସର କରିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଥାଉକି, ନେତାଜୀଙ୍କ ଜନ୍ମବାର୍ଷିକିକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏନେଇ  କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଗତକାଲି ଘୋଷଣା କରିଥିଲା। ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପୂର୍ବରୁ କେନ୍ଦ୍ର ସରକାର ଏହି ବଡ଼ ଘୋଷଣା କରିଛନ୍ତି।

ସରକାରଙ୍କ ଘୋଷଣାକୁ ନେଇ ଖୁସୀ ପ୍ରକାଶ କରିଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି। ତେବେ ସୁଭାଷ ବୋଷଙ୍କ ଜନ୍ମଦିନକୁ ଦେଶପ୍ରେମ ଦିବସ ଭାବେ ପାଳନ କରାଗଲେ ଅଧିକ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ସେ କହିଛନ୍ତି, ସୁଭାଷ ବୋଷ ଭାରତର ମୁକ୍ତିଦାତା ଥିଲେ। ଜାନୁଆରୀ ୧୩ ତାରିଖକୁ  ଲୋକେ ‘ଦେଶପ୍ରେମ ଦିବସ ଭାବେ ପାଳନ କରନ୍ତି। ତଥାପି ସରକାରଙ୍କ ଏହି ଘୋଷଣାରେ ଆମେ ଖୁସୀ।

କେନ୍ଦ୍ର ସରକାର ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତା ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ସମିତି ଗଠନ କରାଯାଇଛି। ଏଥିରେ ରାଜନେତାଙ୍କ ବ୍ୟତୀତ ଲେଖକ, ହିଷ୍ଟୋରିଆନ୍ ଓ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ପ୍ରତିଷ୍ଠିତ ଲୋକଙ୍କୁ ସାମିଲ୍ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯେଉଁ ପ୍ରମୁଖ ନାଁ ରହିଛି, ସେଥିରେ ସୁଭାଷ ଚନ୍ଦ୍ର ବୋଷ ଆଇଏନଏ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରିଗେଡିୟର ଆରଏସ୍ ଚିକାରା, ହିଷ୍ଟୋରିଆନ୍ ଓ ଲେଖିକା ପୂର୍ବୀ ରାୟ, ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି, ସଂଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍, ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତ୍ରୀ କାଜୋଲ ସାମିଲ୍ ଅଛନ୍ତି।

ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ଅଧିକାରୀ ସ୍ତରୀୟ ବିଜ୍ଞପ୍ତିରେ କୁହାଯାଇଛି, ଏହି ସମିତି ୨୩ ଜାନୁଆରୀରୁ ଏକ ବର୍ଷ ପର୍ଯ୍ୟନ୍ତ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିବ। ଭାରତର ସ୍ୱାଧୀନତା ସଂଗ୍ରାମରେ ବୋସଙ୍କ ଭୂମିକାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତାଙ୍କ ଜୟନ୍ତୀ ପାଳନ ପାଇଁ ନିଷ୍ପତି ନେଇଛି।

You might also like