ରେଳଷ୍ଟେସନ୍ରେ ଜମା କରନ୍ତୁ ପ୍ଲାଷ୍ଟିକ ବୋତଲ, ନେଇ ଯାଆନ୍ତୁ ଟଙ୍କା
ନୂଆଦିଲ୍ଲୀ: ରେଳ ଷ୍ଟେସନ ଓ ଟ୍ରେନ୍ ବଗି ଭିତରେ ଫଡ଼ିଥିବା ଖାଲି ପ୍ଲାଷ୍ଟିକ୍ ବୋତଲ ଏବେ ଆପଣଙ୍କ ପକେଟରେ ଟଙ୍କା ଭର୍ତ୍ତି କରିବ। ତେଣୁ ଯଦି ଖାଲି ପ୍ଲାଷ୍ଟିକ୍ ବୋତଲ ଦେଖୁଛନ୍ତି ତେବେ ତୁରନ୍ତ ଆଣି ଜମା କରନ୍ତୁ।
ଭାରତୀୟ ରେଳ ବିଭାଗ ପକ୍ଷରୁ ଏପରି ସୁବିଧା ଉପଲବ୍ଧ କରାଯାଉଛି। ସ୍ୱଚ୍ଛତା ଏବଂ ପ୍ରଦୂଷଣ ରହିତ ପରିବେଶକୁ ଆଖିରେ ରଖି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ତେବେ ଏହି ପ୍ଲାଷ୍ଟିକ୍ ବୋତଲକୁ ନେଇ ରେଳ ବିଭାଗ କରିବ କ’ଣ ?
ଏହାକୁ ରି ସାଇକ୍ଲିଂ କରି ଟି-ସାର୍ଟ ଓ ଟୋପି ତିଆରି କରିବ ରେଳ ବିଭାଗ । ଏହି ବୋତଲଗୁଡ଼ିକୁ ସଂଗ୍ରହ କରିବା ପାଇଁ ଏକ ନିଆରା ଉପାୟ ମଧ୍ୟ ଆଣିଛି ବିଭାଗ । ଏବେ ଯିଏ ପ୍ଲାଷ୍ଟିକ ବୋତଲ ଆଣି ଦେବ ତାକୁ ଟଙ୍କା ମିଳିବ। ଏହି ନୂଆ ସ୍କିମରେ ପ୍ରତି ବୋତଲ ପିଛା ଆପଣଙ୍କୁ ୫ ଟଙ୍କା ମିଳିବ।
ଏହି ଉପାୟ ଦ୍ୱାରା ରେଳ ବିଭାଗ ସ୍ୱଚ୍ଛତା ଆଡ଼କୁ ପାଦେ ଆଗେଇ ଆସିଛି। ପାଟଣା ଜଙ୍କଶନ, ରାଜେନ୍ଦ୍ର ନଗର, ପାଟଣା ସାହେବ ଓ ଦାନାପୁର ଷ୍ଟେସନରେ ରିଭର୍ସ ଭେଣ୍ଡିଂ ମେସିନ୍ ଲଗାଯାଇଛି। ଯେଉଁଥିରେ ପ୍ଲାଷ୍ଟିକ ପାଣି ବୋତଲକୁ କ୍ରସ କରାଯାଇ ଏକ ଲିକ୍ୱିଡ୍ ପ୍ରସ୍ତୁତ କରାଯିବ। ସେହି ଲିକ୍ୱିଡ୍ରୁ ଟି-ସର୍ଟ ଓ ଟୋପି ତିଆରି କରାଯାଇପାରିବ। ଏହି ଟିସର୍ଟ ସବୁ ସିଜନ୍ରେ ପିନ୍ଧି ହେବ। ଏହି ଟି-ସର୍ଟ ତିଆରି ପାଇଁ ରେଲୱେ ବିଭାଗ ମୁମ୍ବାଇର ଏକ କମ୍ପାନୀ ସହ ଟାଇ-ଅପ୍ ହୋଇଛି। ଖୁବ୍ ଶୀଘ୍ର ଏହି ଟି-ସର୍ଟ ବଜାରକୁ ଆସିଯିବ।
ଭାରତୀୟ ରେଳ ବିଭାଗର ଏହି ଅଭିନବ ପ୍ରକ୍ରିୟା ଦ୍ୱାରା ରେଳ ଷ୍ଟେସନ ଓ ରେଳ ପଥରେ ବଢ଼ୁଥିବା ପ୍ରଦୂଷଣରୁ ଦୂର ହୋଇପାରିବ।
ମନେରଖନ୍ତୁ, ଆପଣ ଯଦି ରେଳଷ୍ଟେସନ୍ରେ ବୋତଲ ଜମା କରିବେ ତେବେ ଆପଣଙ୍କୁ ପ୍ରତି ବୋତଲ ପିଛା ୫ ଟଙ୍କା ମିଳିବ। ଏହି ଟଙ୍କା ଆପଣଙ୍କୁ ଭାଉଚର ଆକାରରେ ମିଳିବ।
ଆପଣ ମେଶିନ୍ରେ ବୋତଲ ପକାଇବା ବେଳେ ଏହା ଆପଣଙ୍କୁ ମୋବାଇଲ ନମ୍ବର ମାଗିବ। ଏହାପରେ ବୋତଲ କ୍ରଶ ହୋଇଗଲେ ଆପଣଙ୍କ ପାଖକୁ ଏକ ଧନ୍ୟବାଦ ମେସେଜ ଆସିବା ସହ ଏକ ଭାଉଚର ମିଳିବ। ଏହାକୁ ଆପଣ କିଛି ଦୋକାନ ଏବଂ ସପିଙ୍ଗ ମଲ୍ରେ ବ୍ୟବହାର କରି ଜିନିଷପତ୍ର କିଣିପାରିବେ।