କରୋନାର ଦ୍ୱିତୀୟ ଲହର ମଧ୍ୟରେ ବନ୍ଦ ହୋଇଯିବ କି ଟ୍ରେନ୍ ଚଳାଚଳ‌ ? ରେଲ୍‌ୱେ ଦେଲା ବଡ଼ ବୟାନ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା ହୋଇଛି। ଏହାସହ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ମଧ୍ୟ ଜାରି ହୋଇଛି।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ଆଜିଠାରୁ ସାରା ମହାରାଷ୍ଟ୍ରରେ ଲାଗିବ ୧୪୪ ଧାରା। ମୁମ୍ବାଇରୁ ପ୍ରବାସୀ ଶ୍ରମିକଙ୍କ ସେମାନଙ୍କ ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି। ଗତତାଲି ରାତିରେ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନସରେ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଠିଛି, କ’ଣ ଦେଶରେ ପୁଣିଥରେ ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯିବ କି ? ଯାହାକୁ ନେଇ ସେଣ୍ଟ୍ରାଲ୍‌ ରେଲ୍‌ୱେ ଟ୍ୱିଟ୍‌ କରି ଏହାର ଉତ୍ତର ରଖିଛି। ଲୋକଙ୍କୁ ଭୟଭୀତ ନହେବା ହେବା ପାଇଁ ରେଲ୍‌ୱେ ପକ୍ଷରୁ କୁହାଯାଇଛି। ଲମ୍ବା ଯାତ୍ରା ପାଇଁ ଘୋଷଣା ହୋଇଥିବା ନିୟମିତ ଓ ସ୍ପେଶାଲ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ ବୋଲି ସେଣ୍ଟ୍ରାଲ୍‌ ରେଲ୍‌ୱେ ସ୍ପଷ୍ଟ କରିଛି।

ଟ୍ରେନ୍‌ ଚଳାଚଳ ବନ୍ଦ ନେଇ ସେଣ୍ଟ୍ରାଲ୍‌ ରେଲ୍‌ୱେ ଦେଲା ଏମିତି ବୟାନ…

ସେଣ୍ଟ୍ରାଲ୍‌ ରେଲ୍‌ୱେ ଟ୍ୱିଟ୍‌ କରି କହିଛି, ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ, ଟ୍ରେନ୍‌ ଚଳାଚଳ କରିବ। ସେଣ୍ଟ୍ରାଲ୍‌ ରେଲ୍‌ୱେ ପକ୍ଷରୁ ସମର୍(ଗ୍ରୀଷ୍ମ) ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରୁଛି। ଲମ୍ବା ଯାତ୍ରା ପାଇଁ ଘୋଷଣା ହୋଇଥିବା ନିୟମିତ ଓ ସ୍ପେଶାଲ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ ବୋଲି ସ୍ପଷ୍ଟ କରାଯାଉଛି। ଯେଉଁମାନଙ୍କର ଟିକେଟ୍‌ କନଫର୍ମ ହୋଇଥିବ କେବଳ ସେମାନଙ୍କୁ ହିଁ ଏହି ସ୍ପେଶାଲ୍‌ ଟ୍ରେନ୍‌ରେ ଯାତ୍ରା ପାଇଁ ଅନୁମତି ମିଳିବ।

ଟ୍ୱିଟ୍‌ରେ ଆହୁରି ଉଲ୍ଲେଖ କରାଯାଇଛି, ଲୋକମାନଙ୍କୁ ଅନୁରୋଧ ସେମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ରେଲ୍‌ୱ ଷ୍ଟେସନରେ ଭିଡ଼ କରନ୍ତୁ ନାହିଁ। ୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚନ୍ତୁ। ରେଲ୍‌ୱେ ୱେଟିଙ୍ଗ୍‌ ଲିଷ୍ଟ ଉପରେ ଲଗାତାର ଭାବେ ନଜର ରଖିଛି, ଆବଶ୍ୟକ ପଡ଼ିଲେ ଅତିରିକ୍ତ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରିବ।

ସୂଚନାଥାଉ କି, ପୁଣିଥରେ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍(Shramik Special Trains)‌ ଚଳାଚଳ କରିବ ବୋଲି କିଛିଦିନ ତଳେ ସୋସିଆଲ୍‌ ମିଡିଆରେ ମିଥ୍ୟା ଖବର‌ ଭାଇରାଲ୍‌ ହୋଇଥିଲା। ଏଭଳି କୌଣସି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ କରୁନାହିଁ କି ଏଭଳି କିଛି ଯୋଜନା ମଧ୍ୟ ନାହିଁ ବୋଲି ସେଣ୍ଟ୍ରାଲ୍‌ ରେଲ୍‌ୱେ ସ୍ପଷ୍ଟ କରିଥିଲା।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦେଶରେ ଦୈନିକ କରୋନାଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୦୨୭ ଜଣଙ୍କ ଜୀବନ ନେଇଛି ଭାଇରସ୍ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚିଛି ।

You might also like