ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ପୁଣି ବିବାଦ

ବରିଷ୍ଠ ସେନା ଅଧିକାରୀ କହିଲେ, ଅପରେସନର ରାଜନୀତିକରଣ ଠିକ୍ ନୁହେଁ

ନୂଆଦିଲ୍ଲୀ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ସର୍ଜିକାଲ ଷ୍ଟ୍ରାଇକ୍। ଯାହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ସଫଳ ହୋଇଥିଲା, ସେହି ସେନା ଅଧିକାରୀଙ୍କ ମନ୍ତବ୍ୟ ସୃଷ୍ଟି କରିଛି ନୂଆ ଚର୍ଚ୍ଚା। ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ୍. ହୁଦା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ରାଜନୀତି ହେବା ଉଚିତ ନୁହେଁ। ଏହାକୁ ନେଇ ବାହାସ୍ଫୋଟ ମାରିବା କାରଣରୁ ଏହାର ଗୁରୁତ୍ୱ କମି ଯାଇଛି। ସେନାକୁ ଯେଉଁ ଲାଭ ଦେବା କଥା, ତାହା ହେଲା ନାହିଁ।  ଏହା ପରେ ଟ୍ୱିଟ କରି ପରୋକ୍ଷରେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି।

ସର୍ଜିକାଲ ଷ୍ଟ୍ରାଇକ୍ ପରେ ପରେ ବିଭିନ୍ନ ରାଜନୈତିକ ଦଳ ଯେପରି ପ୍ରତିକ୍ରିୟା ପ୍ରକାଶ କଲେ, ଲାଗିଲା ଯେମିତି ରାଜନୈତିକ କାରଣରୁ ହୋଇଥିଲା ଏହି ସାମରିକ ଅପରେସନ। କିଏ ବାହାଦୂରି ମାରିଲା ତ କିଏ ସେନାକୁ ପ୍ରମାଣ ମାଗିଲା। ବିରୋଧୀଙ୍କ ଅଭିଯୋଗ, ସର୍ଜିକାଲ ଷ୍ଟ୍ରାଇକ୍‌କୁ ବାହାଦୁରି ମାରି ସରକାର ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ସରକାର ବି ଏହାର ଜବାବ ଦେଇଥିଲେ। ଏହାରି ଭିତରେ ଗୌଣ ହୋଇ ଯାଇଥିଲା ଅସଲି ଲକ୍ଷ୍ୟ। ଏହାକୁ ନାପସନ୍ଦ କରିଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ।

ଆତଙ୍କବାଦୀଙ୍କ ଉରି ଆକ୍ରମଣର ପ୍ରତିଶୋଧ ନେବାକୁ ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ନିୟନ୍ତ୍ରଣ ରେଖା ଆରପଟେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା। ଏଥିରେ ୪୦ରୁ ଅଧିକ ଆତଙ୍କବାଦୀ ନିହତ ହେବା ସହିତ ଧ୍ୱଂସ ପାଇଥିଲା ସେମାନଙ୍କ ଶିବିର। ସେତେବେଳେ ଆର୍ମି ନର୍ଦର୍ଣ୍ଣ କମାଣ୍ଡର ମୁଖ୍ୟ ଥିଲେ ଲେଫ୍ଟନାଣ୍ଟ ଜେନେରାଲ ହୁଡା। ତାଙ୍କରି ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା ଏହି ଅପରେସନ।

ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍। କିନ୍ତୁ ତାକୁ ନେଇ ଯେଉଁ ରାଜନୈତିକ ବୟାନବାଜି ହେଲା, ସେଥିରେ ଏହାର ଅସଲି ଲକ୍ଷ୍ୟର ଗୁରୁତ୍ୱ କମିଯାଇଥିଲା।

You might also like