କରୋନା ମୁକାବିଲାକୁ ନେଇ ଫେଲ୍‌ ମାରିଲା ପୂର୍ବାନୁମାନ: ରାହୁଲ୍‌ଙ୍କ ଟାର୍ଗେଟ୍‌ରେ ନୀତି ଆୟୋଗ‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ନୀତି ଆୟୋଗର ଏକ ପୁରୁଣା ଗ୍ରାଫ୍‌ ଚାଟ୍‌କୁ ଟ୍ୱିଟ୍‌ କରି ସରକାରଙ୍କର କରୋନା ମୁକାବିଲା ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ତଥା ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ନୀତି ଆୟୋଗ ଦ୍ୱାରା ଜାରି କରାଯାଇଥିବା ଏକ ଗ୍ରାଫ୍‌ ଚାର୍ଟରେ ସରକାରଙ୍କ ଲକ୍‌ଡାଉନ୍‌ ଯୋଗୁଁ ମେ ୧୬ ତାରିଖରେ ପରେ କରୋନା ସଂକ୍ରମଣର ନୂଆ କେସ୍ ଆସିବା ବନ୍ଦ ହୋଇଯିବ ବୋଲି ଦର୍ଶାଇଯାଇଥିଲା। ଯାହାକୁ ଏବେ ଟ୍ୱିଟ୍‌ କରି ଲୋକ ଲୋଚନକୁ ଆଣିବା ସହିତ ସରକାରଙ୍କ କରୋନା କାର୍ଯ୍ୟପନ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ୍।

ରାହୁଲ୍‌ ଟ୍ୱିଟ୍‌ କରି ଲେଖିଛନ୍ତି, “ ନୀତି ଆୟୋଗରେ ଥିବା ବୁଦ୍ଧିମାନ ଲୋକମାନେ ପୁଣିଥରେ ଏହା କରି ଦେଖାଇଛନ୍ତି। ମୁଁ ଆଣପଙ୍କୁ ସେମାନଙ୍କର ଏହି ଗ୍ରାଫ୍‌ ମନେପକାଇ ଦେବାକୁ ଚାହୁଁଛି, ଯେଉଁଥିରେ କୁହାଯାଇଥିଲା ଯେ ସରକାରଙ୍କର ରାଷ୍ଟ୍ରବ୍ୟାପୀ ଲକ୍‌ଡାଉନ୍‌ ପଦକ୍ଷେପ ଯୋଗୁ ମେ ୧୬ ତାରିଖରୁ ଆଉ ନୂଆ କରୋନା କେସ୍ ଆସିବ ନାହିଁ।”

କିନ୍ତୁ ନୀତୀ ଆୟୋଗର ପୂର୍ବାନୁମାନେ ସତ ହେଲାନି। କରୋନା ସଂଖ୍ୟା ଦେଶରେ କମିବା ବଦଳରେ ବଢ଼ି ଚାଲିଛି। ତେଣୁ ଏହାକୁ କଟାକ୍ଷ କରିଛନ୍ତି ରାହୁଲ।

ରାହୁଲ୍ ଯେଉଁ ଗ୍ରାଫ୍‌କୁ ଟ୍ୱିଟ୍ କରିଛନ୍ତି ତାହା ଏପ୍ରିଲ୍ ୨୩ ତାରିଖରେ ପୋଷ୍ଟ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ କୋଭିଡ୍‌-୧୯ ରୋଗୀଙ୍କ ସଂଖ୍ୟା ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ବଢ଼ିବ। ଏହାପରେ ୧ ମେ ରୁ ୨ ଓ ୩ ତାରିଖ ମଧ୍ୟରେ କରୋନା କେସ୍‌ରେ ସ୍ଥିରତା ଆସିବ। ଆଉ ମେ ୪ ତାରିଖଠାରୁ ନୂଆ କରୋନା ଚିହ୍ନଟ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିବ। ୪ ମେରୁ ଏହି ସଂଖ୍ୟା ଖସି ଖସି ୧୬ ତାରିଖ ପର୍ଯ୍ୟନ୍ତ କୌଣସି ନୂଆ କରୋନା କେସ୍‌ ଚିହ୍ନଟ ହେବନି ବୋଲି ପୂର୍ବାନୁମାନ କରାଯାଥିଲା।

କିନ୍ତୁ ବାସ୍ତବରେ ଏପର୍ଯ୍ୟନ୍ତ କରୋନା ସ୍ଥିତି କମିବା ବଦଳରେ ବଢ଼ି ଚାଲିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୨ ହଜାର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ପ୍ରାୟ ୪ ହଜାର ପଜିଟିଭ ସହ ମୋଟ ୮୧ ହଜାର ୯୭୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିଭଳି ମୃତ୍ୟୁ ସଂଖ୍ୟା ୨ ହଜାର ୬୪୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ୧୦୦ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା ଭୂତାଣୁ।

 

You might also like