କାହିଁକି ଭାରତ ଉପରେ ରାଗିଲା ଚାଇନା, ଭିଡିଓ ଜାରି କରି କାରଣ କହିଲେ ରାହୁଲ୍
ନୂଆଦିଲ୍ଲୀ: ସୀମାରେ ଭାରତ ବିରୋଧରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ନେଇ ପ୍ରତିକ୍ରିୟ ରଖି ପୁଣିଥରେ ମୋଦି ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତା ସହିତ ଦେଶର ଅର୍ଥନୀତି, ବିଦେଶନୀତି ଓ ପଡ଼ୋଶୀ ସହିତ ଭାରତର ସମ୍ପର୍କକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓ ଜାରି କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ବିଗତ ୬ ବର୍ଷ ହେବା ଏସବୁ ନଷ୍ଟ ହୋଇଛି। ଯାହାର ପରିଣାମ ସ୍ୱରୂପ ଚାଇନା ଭାରତ ବିରୋଧରେ ଏପରି ପଦକ୍ଷେପ ନେଇଛି ବୋଲି କହିଛନ୍ତି ରାହୁଲ୍।
ଭିଡିଓରେ ସେ କହିଛନ୍ତି “ ୨୦୧୪ ପରଠାରୁ, ପ୍ରଧାନମନ୍ତ୍ରୀଙ୍କ କ୍ରମାଗତ ତ୍ରୁଟି ଏବଂ ବୁଝି ବିଚାରି ନିଷ୍ପତ୍ତି ନ ନେବା ଭାରତକୁ ମୂଳତ ଦୁର୍ବଳ କରିଦେଇଛି। ଏବଂ ଆମକୁ ଅସୁରକ୍ଷିତ କରିଦେଇଛି। କେବଳ ଫାଙ୍କା ଆବାଜ୍ ଜିଓପିଲିଟିକ୍ସ ବା ଭୌଗଳିକ ରାଜନୀତି ପାଇଁ ଯଥେଷ୍ଟ ନୁହେଁ। ” ଶୁକ୍ରବାର ଟ୍ୱିଟ୍ କରି ଏପରି କହିଛନ୍ତି ରାହୁଲ୍ ଗାନ୍ଧି।
ଭିଡିଓରେ ରାହୁଲ କହିଛନ୍ତି, “ଭାରତ ଏମିତି କଣ ପଦକ୍ଷେପ ନେଲା ଯେ ଯାହା ଚାଇନାକୁ ଏତେ ପ୍ରତିକ୍ରିୟାଶୀଳ କରିଦେଲା। ଏହି ସମୟରେ ଏମିତି କଣ କହିଲା ଯେ ଭାରତ ଭଳି ରାଷ୍ଟ୍ର ବିରୋଧରେ ଚାଇନା ଏତେ କଡ଼ା ପଦକ୍ଷେପ ନେବାକୁ ଅନୁମତି ପାଇଲା। ”
ଏହାପରେ ପରିସ୍ଥିତିକୁ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ରଖିଥିଲେ। ରାହୁଲ କହିଥିଲେ “ଭାରତ ଏହାର ବିଦେଶନୀତି, ଏହାର ଅର୍ଥନୀତି ଓ ପଡ଼ୋଶୀଙ୍କ ଭଲପାଇବା ସହିତ ଲୋକମାନଙ୍କ ସଦ୍ଭାବନାକୁ ନେଇ ବେଶ୍ ସୁରକ୍ଷିତ ଥିଲା।। କିନ୍ତୁ ବିଗତ ୬ ବର୍ଷରେ ଭିତରେ ଏହି ସବୁ ବାଧାପ୍ରାପ୍ତ ହୋଇଛି।”
ମୋଦି ସରକାରଙ୍କର ବିଦେଶ ନୀତି ସମ୍ପର୍କରେ କହିବାକୁ ଯାଇ ରାହୁଲ୍ କହିଛନ୍ତି, ପୂର୍ବରୁ ଆମେରିକା ଓ ଋଷିଆ ସହିତ ଆମର ରଣନୀତି ସମ୍ପର୍କ ଥିଲା। ଏବେ ଏହା କେବଳ କାରବାରରେ ରହିଯାଇଛି। ଏହି ସମ୍ପର୍କ ପାଇଁ ଭାରତ ଏହି ଦୁଇ ଦେଶ ସହିତ ସମରାଭ୍ୟାସ କରିପାରୁଥିଲା। କିନ୍ତୁ ବର୍ତ୍ତମାନ ଏହା ହେଉନାହିଁ।
Since 2014, the PM’s constant blunders and indiscretions have fundamentally weakened India and left us vulnerable.
Empty words don’t suffice in the world of geopolitics. pic.twitter.com/XM6PXcRuFh
— Rahul Gandhi (@RahulGandhi) July 17, 2020
ଏହାପରେ ପଡ଼ୋଶୀ ରାଷ୍ଟ୍ର ସହିତ ଭାରତ ସମ୍ପର୍କ ବିଷୟରେ କହିବାକୁ ଯାଇ ରାହୁଲ କହିଛନ୍ତି, ମୋଦି ସରକାର ନେପାଳ, ଭୁଟାନ ଓ ଶ୍ରୀଲଙ୍କା ସହିତ ସମ୍ପର୍କ ତିକ୍ତ କରିଛନ୍ତି। ପୂର୍ବରୁ ଏହିସବୁ ଦେଶ ଆମର ବନ୍ଧୁ ଥିଲେ।
ଦେଶର ଅର୍ଥନୀତି ସମ୍ପର୍କରେ ବି ବିଜେପି ସରକାରକୁ ସମାଲୋଚନା କରିଛନ୍ତି ରାହୁଲ। ସମାଲୋଚନା କରି କହିଛନ୍ତି “ ଭାରତର ଅର୍ଥନୀତି ଏମିତି ଥିଲା ଯାହାକୁ ଆହୁରି ବୃଦ୍ଧି କରି ବିଶ୍ୱ ଦରବାରରେ ପହଞ୍ଚି ପାରିଥାନ୍ତେ। କିନ୍ତୁ ବିଗତ ୫୦ ବର୍ଷରେ ସବୁଠାରୁ ଖରାପ ଅର୍ଥନୀତି ଆମେ ଦେଖୁଛନ୍ତି। ଗତ ୪- ବର୍ଷରେ ସର୍ବାଧିକ ବେକାର ସମସ୍ୟା ଦେଖାଦେଇଛି। ଅର୍ଥନୀତି ବାସ୍ତବରେ ବିପର୍ଯ୍ୟସ୍ତ ହୋଇଯାଇଛି।”
ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି, ବିଦେଶ ନୀତିରେ ବିଫଳତା ଓ ପଡ଼ୋଶୀ ସହିତ ଖରାପ ସମ୍ପର୍କ ଭଳି ତିନିଟି ମୁଖ୍ୟ କାରଣ ଚାଇନାକୁ ଆକ୍ରମଣାତ୍ମକ ହେବାକୁ ସୁଯୋଗ ଦେଲା। ଚାଇନା ଭାବିଲା ଯେ ଏହା କାର୍ଯ୍ୟାନୁଷ୍ଠାନର ଉଚିତ୍ ସମୟ। ଚାଇନା ସେଥିପାଇଁ ଭାରତ ବିରୋଧରେ ଏଭଳି ପଦକ୍ଷେପ ନେଲା ବୋଲି ରାହୁଲ୍ କହିଛନ୍ତି।