ଆରୋଗ୍ୟ ସେତୁ ଆପ୍‌ରେ ତଥ୍ୟ ଗୋପନୀୟତା ନେଇ ପ୍ରଶ୍ନ ଉଠାଇଲେ ରାହୁଲ୍

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ଡାଉନ୍‌ଲୋଡ୍ କରିବା ବାଧ୍ୟତାମୂଳକ ହେବା ନେଇ ତଥ୍ୟ ଗୋପନୀୟତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି।

ଟ୍ୱିଟ୍‌ କରି ରାହୁଲ୍ ଲେଖିଛନ୍ତି “ଏହି ଆପ୍‌ ଏକ ଅତ୍ୟାଧୁନିକ ତଦାରଖ ବ୍ୟବସ୍ଥା। ଏହା ପ୍ରାଇଭେଟ୍‌ ଅପରେଟର ପାଇଁ ଆଉଟ୍‌ସୋର୍ସ ଭଳି କାର୍ଯ୍ୟ କରିବ। ଏହା ତଥ୍ୟ ସୁରକ୍ଷା ଓ ଗୋପନୀୟତା ନେଇ ଚିନ୍ତା ବଢ଼ାଇବ। ଟେକ୍ନୋଲୋଜୀ ଆମକୁ ସୁରକ୍ଷା ଦେଇପାରେ, କିନ୍ତୁ ନାଗରିକଙ୍କ ବିନା ଅନୁମତିରେ ତାଙ୍କୁ ଟ୍ରାକ୍‌ କରିବା ଭଳି ଫାଇଦା ଉଠାଯିବା କଥା ନୁହେଁ।“

ଯାହାର ଦୃଢ଼ ଯବାବ ଦେଇଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ଆରୋଗ୍ୟ ସେତୁ ଆପ୍‌ ଲୋକଙ୍କୁ ସୁରକ୍ଷିତ ରଖିବାର ଏକ ଅଭିଯାନ। ଏଥିରେ ମଜଭୁତ୍‌ ତଥ୍ୟ ଗୋପନୀୟତା ସିସ୍‌ଷ୍ଟମ୍‌ ରହିଛି ବୋଲି ଯବାବ ରଖିଛନ୍ତି ରବିଶଙ୍କର। ଏଥିସହିତ ପ୍ରତିଦିନ ଗୋଟେ ନୂଆ ମିଛ କଥା କୁହାଯାଉଛି ବୋଲି ରବିଶଙ୍କର ଟ୍ୱିଟ୍‌ କରି ରାହୁଲ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଯେଉଁମାନେ ସାରା ଜୀବନ ତଦାରଖରେ ଲିପ୍ତ ଥିଲେ, ସେମାନେ ଜାଣିପାରିବେ ନାହିଁ ଯେ ଟେକ୍ନୋଜିକୁ ବ୍ୟବହାର କରି କିପରି ଭଲ କରାଯାଇପାରିବ।”

ସେହିପରି ଆରୋଗ୍ୟ ସେତୁର ତଥ୍ୟ ସୁରକ୍ଷିତ ନେଇ ସନ୍ଦେହ ପ୍ରକାଶ କରିଛନ୍ତି କଂଗ୍ରେସ ମୁଖ୍ୟ ପ୍ରବକ୍ତା ରଣଦୀପ ସୂର୍ଯେୱାଲା। ସେ କହିଛନ୍ତି, ଏକ୍ସପର୍ଟମାନେ ମଧ୍ୟ ଆରୋଗ୍ୟ ସେତୁର ତଥ୍ୟ ଗୋପନୀୟତା ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଆମେ ଗୋପନୀୟତା ସମସ୍ୟା ଉପରେ ଦୃଷ୍ଟି ରଖିଛୁ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମେ ଏହି ପ୍ରସଙ୍ଗରେ ଏକ ବିସ୍ତୃତ ଓ ସୁବିସ୍ତାର ତଥ୍ୟ ଦେବୁ ବୋଲି ରଣଦୀପ ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଏହା ନିଶ୍ଚୟ ଚିନ୍ତାର ବିଷୟ ବୋଲି ରଣଦୀପ କହିଛନ୍ତି।

କରୋନା ଭାଇରସ୍‌ ସହିତ ମୁକାବିଲା କରିବା ପାଇଁ ଏହି ଆପ୍‌କୁ ବିକଶିତ କରାଯାଇଛି। ଯଦି ଆପଣ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥାନ୍ତି, ତାଙ୍କ ସହିତ ଯାଇଛନ୍ତି ତେବେ ଏହି ଆପ୍‌ ଆପଣଙ୍କୁ ସୂଚିତ କରିବ। ଏଥିସହିତ ଆପଣଙ୍କୁ କରୋନା ସଂକ୍ରମଣ ନେଇ କେତେ ମାତ୍ରାରେ ଆଶଙ୍କା ରହିଛି  ସେ ବିଷୟରେ ବି ଆରୋଗ୍ୟ ସୂଚନା ଦେବ।

ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୧୧ଟି ଭାଷାରେ ଏହି ଆପ୍‌ ଆପଣଙ୍କୁ ସୂଚନା ଦେବ। କରୋନା ସଂକ୍ରମଣ ରୋକିବାର ଉପାୟ କହିବା ସହିତ ଆପଣଙ୍କ ଲୋକେସନ୍ ଓ ଟ୍ରାଭେଲ୍‌ ହିଷ୍ଟ୍ରୀ ଚେକ୍‌ କରି ଆପଣଙ୍କ ସଂକ୍ରମଣରେ ବିପଦ ଅଛି କି ନାହଁ ତାହା ଜଣାଇଦେବ। ଏଥିସହିତ ଆପ୍‌ରେ କରୋନା ରୋଗର ଲକ୍ଷଣ ଏହାର ନିରାକରଣ ଓ ମୁକାବିଲା ନେଇ ସଚେତନତାର ସୂଚନା ମଧ୍ୟ ଆପ୍‌ରେ ଦିଆଯାଇଛି।

ସେହିଭଳି ଡାଟା ପ୍ରାଇଭେସିକୁ ନେଇ ସରକାର କହିଛନ୍ତି ଯେ ଆରୋଗ୍ୟ ସେତୁ ଆପ୍‌ରେ ଦିଆଯାଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନ ରହିବ।

You might also like