କରୋନା ମୁକାବିଲା ସହ କିପରି ହେବ ଜୀବିକାର ସୁରକ୍ଷା? ବତାଇଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଦେଶ ବ୍ୟାପୀ ଲକଡାଉନ ବେଳେ ଗରିବଙ୍କ ସହାୟତା ଲାଗି ୬୫ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ଏଭଳି କହିଛନ୍ତି ପୂର୍ବତନ ଆରବିଆଇ ଗଭର୍ଣ୍ଣର ତଥା ଅର୍ଥନୀତିଜ୍ଞ ରଘୁରାମ ରାଜନ।  ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଏମିତି କିଛି କହିଛନ୍ତି ରାଜନ।

ଲକଡାଉନ୍ ପରେ ଦେଶରେ ଆର୍ଥିକ ଗତିବିଧିକୁ ନେଇ ରାଜନ କହିଛନ୍ତି, କରୋନା ଭାଇରସର ମୁକାବିଲା କରିବା ସହ ଲୋକଙ୍କ ଜୀବିକାର ସୁରକ୍ଷା କରିବାକୁ ହେବ । ଦେଶର ଗରିବ, ଖଟିଖିଆ ଓ କୃଷକଙ୍କୁ ପ୍ରତ୍ୟକ୍ଷ ସହାୟତା ଦେବାର ଆବଶ୍ୟକତା ରହିଛି ।ଯେଉଁଥିପାଇଁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ସେ କହିଛନ୍ତି ଆମକୁ ଚତୁରତାର ସହ ଲକଡାଉନକୁ ପ୍ରତ୍ୟାହାର କରିବାକୁ ପଡିବ । କାରଣ ବେଶି ଦିନ ପର୍ଯ୍ୟନ୍ତ ଲୋକଙ୍କୁ ଖାଇବାକୁ ଦେବାର କ୍ଷମତା ଆମ ପାଖରେ ନାହିଁ । ସେ କହିଛନ୍‌, ଆଗାମୀ ଦିନରେ ବିଶ୍ୱ ସ୍ତରରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିପାରିବ। କରୋନା ମହାମାରୀରେ ଯେଉଁ ସ୍ଥିତି ଉପୁଜିଛି ସେଥିରେ ଆଗାମୀ ଦିନରେ ଭାରତ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ। ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ଭାରତକୁ ପସନ୍ଦ କରନ୍ତି ବୋଲି ରଘୁରାମ ରାଜନ କହିଛନ୍ତି। ତେବେ ଭାରତକୁ ଆଗକୁ ବଢ଼ିବାକୁ ହେଲେ ସ୍ୱାସ୍ଥ୍ୟ ଏବଂ ଚାକିରି ଦିଗରେ ବିଶେଷ ଧ୍ୟାନ ଦେବାକୁ ହେବ।

ଏହି ଅବସରରେ ବିଶ୍ୱର ଅର୍ଥନୀତିରେ ତ୍ରୁଟିରେ ଥିବା ସେ କହିଛନ୍ତି। ଯେଉଁଥିପାଇଁ ଲୋକଙ୍କ ପାଖରେ ଚାକିରୀ ନାହିଁ। ଯେଉଁମାନଙ୍କ ପାଖରେ ଚାକିରୀ ଅଛି ସେମାନଙ୍କ ପାଖରେ ଅନେକ ସମସ୍ୟା ମଧ୍ୟ ରହିଛି। ଏହାର କାରଣ ରୋଜଗାରରେ ଅସାମନତା ରହିଥାଇପାରେ ବୋଲି ରଘୁରାମ କହିଛନ୍ତି। ତେଣୁ ଏବେ ସଠିକ୍ ଭାବରେ ଅର୍ଥନୀତିକୁ ନେଇ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।

 ସେ କହିଛନ୍ତି, ଏବେ ଭାରତ ପାଖରେ ସୁଯୋଗ ରହିଛି ଶିଳ୍ପକୁ ଆଗକୁ ନେବାର। ଏଥିପାଇଁ ଲୋକଙ୍କ ସହ ଯୋଗାଯୋଗ କରିବାକୁ ହେବ। ଲୋକଙ୍କୁ ନିଯୁକ୍ତି ଦେବାକୁ ହେବ। ଆମକୁ ଖୁବଶୀଘ୍ର ଅର୍ଥନୀତି ଖୋଲିବାକୁ ହେବ। କାରଣ ଆମର ଅନ୍ୟ ଦେଶ ଭଳି ସୁବ୍ୟବସ୍ଥା ନାହିଁ। ସିଏମଆଇଇ କହିଛି ଯେ ୧୦ କୋଟି ଲୋକ ଚାକିରି ହରାଇବେ। ଏହାକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

You might also like