ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍‌

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ।  ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ଜେଟ୍ ହରିଆଣାର ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିବ । ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଭାରତ ଆଣୁଛନ୍ତି । ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ବେଳେ ରାଫେଲ ଭାରତ ଆସିବା ଘଟଣା ବାୟୁସେନାର ମନୋବଳକୁ ବୃଦ୍ଧି କରିବ।

ରାଫେଲ ଭାରତୀୟ ବାୟୁସେନାରେ ପରାକ୍ରମ ବଢାଇବାରେ ସହାୟକ ହେବ । ବିଶେଷ ଭାବେ ଟ୍ରେନିଂ ପାଇଥିବା ପାଇଲଟ୍ ହିଁ ରାଫେଲକୁ  ନେଇ ଭାରତ ଆସୁଛନ୍ତି। ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ହରିଆଣା ଅମ୍ବାଲା ଏୟାରବେସରେ ପହଞ୍ଚିବ ୫ଟି ରାଫେଲ୍ ଜେଟ୍ ।

ତେବେ ରାସ୍ତାରେ ଆବୁଧାବିରେ କିଛି ସମୟ ପାଇଁ ରହଣି ପରେ ପୁଣି ଉଡ଼ାଣ ଆରମ୍ଭ କରିଛନ୍ତି । ଉଡ଼ାଣ ବେଳେ ମଝି ଆକାଶରେ ଏହି ଯୁଦ୍ଧ ବିମାନଗୁଡ଼ିକରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ଦୂରରେ ଥାଇ ଆକ୍ରମଣ କରିବା କ୍ଷେତ୍ରରେ ରାଫେଲ ବେଶ୍ ଧୁରନ୍ଧର । ଏଥିରେ ରହିଛି ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇ ପାରୁଥିବା SCALP କ୍ଷେପଣାସ୍ତ୍ର ଯାହାକି ୩୦୦ କିଲୋମିଟର ଦୂରରୁ ଲକ୍ଷ୍ୟକ୍ଷେଦ କରିପାରିବ । ଫଳରେ ବାଲାକୋଟ ଭଳି ଅପରେସନ ପାଇଁ ଆଉ ସେନାକୁ ସୀମା ଅତିକ୍ରମ କରିବାରୁ ପଡିବ ନାହିଁ ।

ଏପଟେ ରାଫେଲ ଫାଇଟର ଜେଟ୍ ଆସୁଥିବାରୁ ହରିଆଣା ଅମ୍ବାଲା ଏୟାର ବେସ୍ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏୟାର ବେସ୍‌ରେ ୩ କିଲୋମିଟର ବ୍ୟାସାର୍ଦ୍ଧା ମଧ୍ୟରେ କୌଣସି ଘରୋଇ ଡ୍ରୋନ୍  ଉଡାଣ ନ କରିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ରାଫେଲ ଜେଟ୍ର ଫଟୋ ଉଠାଇବା କିମ୍ବା ଭିଡିଓଗ୍ରାଫିକୁ ବାରଣ କରାଯାଇଛି । ଏୟାର ବେସ ଆଖପାଖ ଧୋଲକୋଟ, ବଳଦେବନଗର, ପଞ୍ଜଖୋରା ଆଦି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ।

ସୂଚନା ଥାଉ କି, ରାଫେଲ ଆସିଲେ,  ବାୟୁସେନାକୁ ଶକ୍ତି ମିଳିବ । ଚୀନ୍ ଓ ପାକିସ୍ତାନକୁ କଡ଼ା ଟକ୍କର ଦେବ । ଏଠି କହିରଖିବୁ, ପଡୋଶୀ ଶତ୍ରୁ ଦେଶ ଚୀନ୍ ଓ ପାକିସ୍ତାନ ପାଖରେ ବି ରହିଛି ଶକ୍ତିଶାଳୀ ଫାଇଟର୍ ଜେଟ୍ ।  ପାକିସ୍ତାନ ପାଖରେ ରହିଛି F-16 ଓ ଚୀନ୍ ପାଖରେ ରହିଛି ଚେଙ୍ଗଡୁ J -20।  ତେଣୁ ଏବେ ଏହି ତିନୋଟି ଯୁଦ୍ଧ ବିମାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

You might also like