ଓଂ ନମଃ ଶିବାୟ ଜପ କଲେ ଇସ୍ରାଏଲ୍ ଲୋକେ

ଭାରତୀୟଙ୍କ ପାଇଁ କରୁଥିବା ସମବେତ ପ୍ରାର୍ଥନାର ଭିଡିଓ ଭାଇରାଲ

ଭାରତୀୟଙ୍କ ପାଇଁ ସମବେତ ପ୍ରାର୍ଥନା । ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଓଂ ନମଃ ଶିବାୟ ଜପ କରୁଛନ୍ତି ଇସ୍ରାଏଲବାସୀ । ଭାରତକୁ ବର୍ତ୍ତମାନ ମୃତ୍ୟର ଦୂତ ଧରି ଆସିଛି କରୋନାର ଦ୍ଵିତୀୟ ଲହରୀ । ଚାରିଆଡେ ନୀରବତା , କରୋନାର କହରରେ ଭୟଭୀତ ଦେଶବାସୀ । ବିଗତ କିଛି ଦିନ ହେବ ଭାରତରେ ଦୈନିକ ୪ ଲକ୍ଷ ସଂକ୍ରମଣ ରେକର୍ଡ କରାଯାଇଛି । ଦେଶର ସ୍ବାସ୍ଥ୍ୟବ୍ୟବସ୍ଥା ଭୁଶୁଡି ଯାଇଛି କହିଲେ ଚଳେ । ଏପରିସ୍ଥଳେ ବଲିଉଡ ତାରକା, ବ୍ୟବସାୟୀ ଓ ପ୍ରତିଷ୍ଠିତ ଲୋକେ ପାରୁପର‌୍ୟନ୍ତ ସହଯୋଗ କରିବାକୁ ଚେଷ୍ଟା କରୁଛନ୍ତି । ଏହା ବ୍ୟତୀତ ଅନେକ ଦେଶ ଭାରତକୁ ସହଯୋଗର ହାତ ବଢ଼ାଇଛନ୍ତି ।

ଇସ୍ରାଏଲ ବାସୀ ମଧ୍ୟ ଭାରତୀୟଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରାର୍ଥନାର ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଶହ ଶହ ଲୋକ ଏକାଠି ହୋଇ ଓଂ ନମଃ ଶିବାୟ ଜପ କରୁଥିବା ଦେଖିବାକୁ ମିଳୁଛି । ଭିଡିଓକୁ ପବନ ପାଲ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି । ଇସ୍ରାଏଲ ଓ ଭାରତ ମଧ୍ୟରେ ଆଧ୍ୟାତ୍ମିକ ସମ୍ମନ୍ଧ ରହିଛି । ଏହି ଦେଶରେ ଯୁବଗୋଷ୍ଠୀ ପ୍ରତି ବର୍ଷ ଭାରତ ଓ ହିମାଚଳ ପ୍ରଦେଶ, କସୋଲ, ମାଲଗା, ମଲାନା ଆସିି ସମୟ କାଟନ୍ତି ।

କୁହାଯାଏ ଇସ୍ରାଏଲରେ ୩ ବର୍ଷର ମିଲଟାରୀ ଟ୍ରେନିଂ ପରେ ଶାନ୍ତିରେ ସମୟ କାଟିବା ପାଇଁ ଭାରତ ପାହାଡରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି । ଇସ୍ରାଏଲ କିଛି ଦିନ ପୂର୍ବରୁ ନିଜ ଦେଶକୁ କରୋନାମୁକ୍ତ ଘୋଷଣା କରିଛି । ଦେଶରେ ସାମୂହିକ ଟିକାକରଣ ପରେ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ସ୍କୁଲ କଲେଜ ଖୋଲି ଯାଇଛି । ଏହି କାରଣରୁ ଭିଡିଓରେ ବିନା ମାସ୍କରେ ପ୍ରାର୍ଥନା କରୁଛନ୍ତି ଲୋକେ ।

ସୂଚନାଯୋଗ୍ୟ ଭାରତରେ କରୋନାର ସ୍ଥିତି ପୂର୍ବପରି ଜାହିର ରଖିଛି । ଦେଶରେ ଏବେ ତିନି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪, ୧୪,୧୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩,୯୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨, ୧୪,୯୧,୫୯୨ରେ ପହଞ୍ଚିଛି । ଏପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨,୩୪,୦୮୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୮, ୧୪୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ କରୋନା ବର୍ତ୍ତମାନ ସୁଦ୍ଧା ୧,୭୨,୮୦,୮୪୪ ଜଣ କରୋନାକୁ ମାତ୍‌ ଦେଇଛନ୍ତି ।

You might also like