ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା ସେରମ୍

ନୂଆଦିଲ୍ଲୀ: ଶୀଘ୍ର ଟିକା ଯୋଗାଣ ନେଇ ଆଶ୍ୱସ୍ତି ଦେଲା କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍। ଟିକା ପ୍ରସ୍ତୁତି ଏକ ଜଟିଳ ଓ ସ୍ୱତନ୍ତ୍ର ପ୍ରକ୍ରିୟା ବୋଲି ସେରମ୍ କହିଛି। କରୋନା ମହାମାରୀର ଭୟଙ୍କର ବୃଦ୍ଧିକୁ ଦେଖି ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏହା ନିଶ୍ଚିତ ଯେ ଲୋକେ ଟିକା ପାଇବା ଲାଗି ବ୍ୟଗ୍ର ହେଉଛନ୍ତି। କିନ୍ତୁ ରାତାରାତି କୋଟି କୋଟି ଡୋଜ୍ ଟିକା ପ୍ରସ୍ତୁତ କରିବା ସମ୍ଭବ ନୁହେଁ ବୋଲି ସେରମ କହିଛି।

ଟିକା ପ୍ରସ୍ତୁତି ଲାଗି ସରକାର ସବୁ ପ୍ରକାର ସହଯୋଗ କରୁଛନ୍ତି। ଏବେ ସୁଦ୍ଧା ୨୬ କୋଟି ଡୋଜ୍ ଲାଗି ଶତପ୍ରତିଶତ ଅଗ୍ରୀମ ମିଳିଛି। କେନ୍ଦ୍ରଠାରୁ ୧୧ କୋଟି ଡୋଜ୍ ଲାଗି ଅଗ୍ରୀମ ମିଳିଛି। ରାଜ୍ୟ ଓ ଘରୋଇ ହସ୍ପିଟାଲର ମଧ୍ୟ ୧୧ କୋଟି ଡୋଜ୍ ଆବଶ୍ୟକ ରହିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯଥା ସମ୍ଭବ ଚେଷ୍ଟା ଚାଲିଥିବା ସେରମ୍ କହିଛି।

ତେବେ କରୋନା ଟିକା ପାଇଁ କୌଣସି ନୂତନ ଆଦେଶ ସମ୍ପର୍କିତ ଖବରକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅସ୍ୱୀକାର କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମେ, ଜୁନ୍ ଓ ଜୁଲାଇରେ ୧୧ କୋଟି ଡୋଜ୍ କୋଭିସିଲ୍ଡ ଟିକା ବିତରଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ୧୭୩୨.୫୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ କୋଭିସିଲ୍ଡ ଟିକାର ୧୦ କୋଟି ଡୋଜର ପୂର୍ବ ଆଦେଶ ବଦଳରେ ମେ ୩ ପର୍ଯ୍ୟନ୍ତ କେବଳ ୮.୭୪ କୋଟି ଡୋଜ ଉପଲବ୍ଧ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ ସେରମ୍ ବ୍ୟତୀତ ଭାରତ ବାୟୋଟେକ୍ କୁ ମେ, ଜୁନ୍ ଓ ଜୁଲାଇରେ ୫ କୋଟି ଡୋଜ୍ କୋଭାକ୍ସିନ୍ ବିତରଣ ପାଇଁ ୭୮୭.୫୦ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ପୁନାୱାଲା କହିଛନ୍ତି ଯେ ଟିକା ଅଭାବରୁ ସରକାର ଦାୟୀ, କମ୍ପାନୀ ନୁହେଁ। ସେ କହିଛନ୍ତି, “ଆମେ ସେଇ ଅନୁସାରେ ଅର୍ଡର ପାଇ ନ ଥିବାରୁ ଉତ୍ପାଦନ ବୃଦ୍ଧି କରିନାହୁଁ। ଆମେ ଭାବି ନ ଥିଲୁ ଯେ ଗୋଟିଏ ବର୍ଷରେ ଆମକୁ ୧୦୦ କୋଟି ଡୋଜ ପ୍ରସ୍ତୁତ କରିବାକୁ ପଡିବ।”

ଅନ୍ୟପକ୍ଷରେ ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଛି । ଘରୁ ବାହାରିଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ଛିଡା ହୋଇଛି । ଘରେ ବି ନିଜକୁ ସୁରକ୍ଷିତ ମନେ ହେଉନି । ଦେଶରେ ସୁସ୍ଥ ହାର ସନ୍ତୋଷଜନକ ଥିଲେ ବି ଲୋକଙ୍କୁ ଚିକିତ୍ସା ସୁବିଧା ମିଳିପାରୁନି । କାରଣ ଡାକ୍ତରଖାନାରେ ବେଡ୍‌ ଅଭାବ ଦେଖାଦେଇଛି । ଡାକ୍ତରଖାନା ଗଲେ ବି ଅକ୍ସିଜେନ ମିଳୁନି । ଏପରି ସ୍ଥିତିରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

You might also like