• translate
Pramod Behera

ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଏହାର ମୁଖ୍ୟ ଲକ୍ଷ ରହିଛି କରୋନା ଭାଇରସ୍‌ରୁ କିପରି ମୁକ୍ତି କାରିବା। ଏହା ସହିତ ପର୍ଯ୍ୟାବରଣକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଦୁନିଆର ପ୍ରାୟ ଦେଶର ନଜର ଏହା ଉପରେ। ଏହି ସଂଗଠନରେ ଦୁନିଆର ୮ଟି ବିକଶିତ ଦେଶ ସଦସ୍ୟ ରହିଥିବା ବେଳେ ଭାରତ ଓ ଅଷ୍ଟ୍ରେଲିଆ କାହିଁକି ସାମିଲ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି।

ତେବେ ସାତଟି ଶକ୍ତିଶାଳୀ ଦେଶକୁ ନେଇ ଗଠିତ ଏହି ଗୋଷ୍ଠୀରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, କାନାଡା, ଜାପାନ, ଇଟାଲୀ ଏବଂ ଜର୍ମାନୀ ଅନ୍ତର୍ଭୁକ୍ତ। ଏହାର ଲକ୍ଷ୍ୟ ହେଉଛି ମାନବିକ ଅଧିକାରର ସୁରକ୍ଷା, ଆଇନକୁ ବଜାୟ ରଖିବା ଏବଂ ନିରନ୍ତର ବିକାଶ। ଏହି ସଂଗଠନ ୨୫ ମାର୍ଚ୍ଚ ୧୯୭୩ରେ ଆରମ୍ଭ ହୋଇଥିଲା। ଏହାର ଠିକ୍ ପୂର୍ବରୁ, ବିଶ୍ୱ ତୈଳ ସଙ୍କଟ ଦେଖାଦେଇଥିଲା, ଯାହା ଏକ ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି କରିଥିଲା। ଏଥିରୁ ଏବଂ ଏହା ସହିତ  ଭବିଷ୍ୟତରେ ଆସୁଥିବା ସଂକଟରୁ ବିଶ୍ୱ ସ୍ତରରେ ମୁକାବିଲା ପାଇଁ ସଂଗଠନର ମୂଳଦୁଆ ପକାଯାଇଥିଲା।

ପ୍ରାରମ୍ଭରେ ଋଷ ମଧ୍ୟ ଏହି ସଂଗଠନର ଏକ ଅଂଶ ଥିଲା, କିନ୍ତୁ ପରେ ତାକୁ ନେଇ ଦେଶମାନଙ୍କ ମଧ୍ୟରେ ମତଭେଦ ହେଲା। ଋଷ ୨୦୧୪ରେ ୟୁକ୍ରେନର କୃଷ୍ଣ ସାଗର ଉପଦ୍ୱୀପ କ୍ରିମିଆକୁ ଅକ୍ତିଆର କରିଥିଲା। ଏହା ପରେ ତୁରନ୍ତ ଋଷ୍‌କୁ ଦଳରୁ ବହିଷ୍କାର କରାଯାଇଥିଲା। ସେତେବେଳେ ଏହି ଦଳରେ ଋଷ ସହିତ ୮ଟି ସଦସ୍ୟ ଦେଶ ଥିଲେ ଏବଂ ଏହାକୁ ଜି-୮ କୁହାଯାଉଥିଲା।

ଏଠାରେ ଏକ ପ୍ରଶ୍ନ ଉଠେ ଯେ ଯଦି ଏହି ସଂଗଠନ ଅର୍ଥନୈତିକ ଶକ୍ତିଶାଳୀ ଦେଶଗୁଡିକୁ ନେଇ ଗଠିତ, ତେବେ ଚୀନ୍ କାହିଁକି ଏଥିରେ ନାହିଁ, ଯେତେବେଳେ ଏହି ଦେଶକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି କୁହାଯାଉଛି। ଏହାର ଉତ୍ତର ନିଶ୍ଚିତ ଏହା ହେବ ଯେ ଜିଡିପି ଦୃଷ୍ଟିରୁ ମୁଣ୍ଡପିଛା ଆୟ ଚାଇନାର ଜନସଂଖ୍ୟା ହେତୁ ଏ ପର୍ଯ୍ୟନ୍ତ ବହୁତ କମ। ଏହି କାରଣରୁ ଚୀନ୍ ଏହାର ଏକ ଅଂଶ ହୋଇ ନଥିବା ଜଣାଯାଏ।

ଭାରତ ମଧ୍ୟ ଜି-୭ରେ ସାମିଲ ହୋଇ ନାହିଁ। ବର୍ତ୍ତମାନ ଏହାର ବିଶ୍ୱ ପରିଚୟ ବୃଦ୍ଧି ପାଇଛି ଏବଂ ବିଦେଶୀ ଦେଶ ସହିତ ସମ୍ପର୍କ ମଧ୍ୟ ସୁଦୃଢ ହୋଇଛି। ଏହି କାରଣରୁ ଭାରତକୁ ଚଳିତ ବର୍ଷ ଅତିଥି ରାଷ୍ଟ୍ର ଭାବରେ ନିମନ୍ତ୍ରଣ କରାଯାଇଥିଲା। ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କୋରିଆ ଏବଂ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଅତିଥି ଦେଶ ଭାବରେ ନିମନ୍ତ୍ରଣ କରାଯାଇଛି।

ପ୍ରଥମ ଥର ପାଇଁ ୨୦୧୯ରେ ଭାରତ ଅତିଥି ଭାବରେ ଏଥିରେ ଅଂଶଗ୍ରହଣ କରିଥିଲା । ସେତେବେଳେ ଫ୍ରାନ୍ସରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ସେଠାରୁ ଭାରତକୁ ନିମନ୍ତ୍ରଣ କରାଯାଇଥିଲା। ଗତ ବର୍ଷ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏହି ସଂଗଠନ ସହ ସାମିଲ ହେବାକୁ ନିବେଦନ କରିଥିଲେ। ସେତେବେଳେ ସେ କହିଥିଲେ, ଭାରତ ଏସିଆର ଏକ ଶକ୍ତିଶାଳୀ ତଥା ପ୍ରଭାବଶାଳୀ ଦେଶ ଭାବରେ ଉଭା ହୋଇଛି। ତେଣୁ ସେ ଏହାର ସଦସ୍ୟ ହେବା ଜରୁରୀ।

ପ୍ରତିବର୍ଷ ଜି-୭ ବୈଠକ ହୁଏ, ଯେଉଁଥିରେ ପାଳିକରି ସଦସ୍ୟ ଦେଶମାନେ ଅଧ୍ୟକ୍ଷତା କରିଥାନ୍ତି। ଦୁଇ ଦିନ ଧରି ଚାଲୁଥିବା ଏହି ସମ୍ମିଳନୀରେ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା ଏବଂ ରଣନୀତି ସ୍ଥିର ହୋଇଥାଏ। ଆଲୋଚନା ହେଉଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରେ ଅର୍ଥନୀତି, ଦେଶର ସୁରକ୍ଷା, ରୋଗ, ପର୍ଯ୍ୟାବରଣ ଆଦି ଅନ୍ତର୍ଭୁକ୍ତ। ଚଳିତ ବର୍ଷ କରୋନାକୁ ନେଇ ସୃଷ୍ଟିହୋଇଥିବା ହାହାକାର ମଧ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ସଂକ୍ରମଣକୁ ସମାପ୍ତ କରିବା ନେଇ ଆଲୋଚନା ହେବ।

ତେବେ ଜି-୭ ବିଷୟରେ ହେଉଥିବା ବିଭିନ୍ନ ସମାଲୋଚନା ମଧ୍ୟରେ ଏହା ରହିଛି ଯେ ବିଶ୍ୱସ୍ତରୀୟ ସମସ୍ୟା ବିଷୟରେ ଆଲୋଚନା କରିବା ଦାବି କରୁଥିବା ଏହି ସଂଗଠନରେ ଆଫ୍ରିକା ଏବଂ ଲାଟିନ୍ ଆମେରିକାର କୌଣସି ଦେଶ ସାମିଲ ନାହାନ୍ତି।

Other Stories