ଡେରିରେ କବାଟ ଖୋଲିଲେ ପତ୍ନୀ, ଗୁଳି ମାରିଦେଲେ ଡିଏସ୍‌ପି ସ୍ୱାମୀ !

ଚଣ୍ଡୀଗଡ଼: ପଞ୍ଜାବ ପୁଲିସ୍‌ରେ ସିଂଘମ ନାଁରେ ପରିଚିତ ଡିଏସ୍‌ପି ଅତୁଲ ସୋନିଙ୍କ ବିରୋଧରେ ହତ୍ୟା ଉଦ୍ୟମ (Attempt to murder) ଓ Arms Act ଆଧାରରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଆସିଛି ଯେ, ଡିଏସ୍‌ପି ତାଙ୍କ ପତ୍ନୀଙ୍କ ଉପରେ ଗୁଳି ଚଳାଇ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ଏକ ପାର୍ଟିରୁ ଅତୁଲ ଘରକୁ ଫେରିଥିଲେ। ଘରେ ପହଞ୍ଚି ସେ କବାଟ ବାଡ଼େଇଥିଲେ ହେଲେ ସୁନୀତା ବିଳମ୍ବରେ  କବାଟ ଖୋଲିଥିଲେ। କାହିଁକି ସେ ବିଳମ୍ବରେ କବାଟ ଖୋଲିଲେ ବୋଲି ଏଥିରେ ରାଗିଯାଇ ଅତୁଲ, ପତ୍ନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସୌଭାଗ୍ୟବଶତଃ ଗୁଳିଟି ସୁନୀତାଙ୍କ ଦେହରେ ବାଜି ନ ଥିଲା। ଫଳରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ।

ଏହି ଘଟଣାକୁ ନେଇ ସୁନୀତା ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପତ୍ନୀଙ୍କ ଉପରକୁ ଡିଏସ୍‌ପି ଯେଉଁ ବନ୍ଧୁକରୁ ଗୁଳି ଚଳାଇଥିଲେ ତାହା ତାଙ୍କର ସର୍ଭିସ୍‌ ରିଭଲ୍‌ଭର୍‌ ନୁହେଁ ବରଂ ଏକ ଦେଶୀ ବନ୍ଧୁକରୁ ସେ ଏହି ଗୁଳି ଚଳାଇଥିବା ଜଣାପଡ଼ିଛି। ପୁଲିସ୍‌ ଏହାକୁ ଜବତ କରି ଘଟଣାର ତଦନ୍ତ କରୁଛି।

You might also like