ପ୍ରବାସୀ ଶ୍ରମିକଙ୍କୁ ସହଯୋଗ ପାଇଁ ଚର୍ଚ୍ଚାରେ ସୋନୁ ସୁଦ: ଭୁରି ଭୁରି ପ୍ରଶଂସା କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରୁଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ନିଜ ଅର୍ଥରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଉଛନ୍ତି ଏହି ଅଭିନେତା। ଏପର୍ଯ୍ୟନ୍ତ ସେ ପ୍ରାୟ ୪୦ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରକୁ ପଠାଇ ସାରିଲେଣି।

ଶ୍ରମିକଙ୍କୁ ଏପରି ସହଯୋଗ ନେଇ ସୋନଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି। ବଡ଼ ପରଦାରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଏହି ଅଭିନେତା ଏବେ ଶ୍ରମିକଙ୍କ ପାଇଁ ନାୟକ ସାଜିଛନ୍ତି।

ସୋନୁଙ୍କର ଏଭଳି କାର୍ଯ୍ୟକୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସୋନୁଙ୍କୁ ପ୍ରଶଂସା କରି ସେ ଟ୍ୱିଟରରେ ଲେଖିଛନ୍ତି “ ମୋତେ ଗର୍ବ ଅନୁଭବ ହୁଏ, ଯେତେବେଳେ ମୁଁ ଜାଣିବାକୁ ପାଏ ଯେ ମୋର ଜଣେ ସାଥୀ ପଞ୍ଜାବୀ ଭାଇ ତାଙ୍କ କର୍ତ୍ତବ୍ୟରୁ ବାହାରେ ଯାଇ ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରନ୍ତି। ଆଉ ବର୍ତ୍ତମାନ ଏପରି କରୁଛନ୍ତି ଆମର ମୋଗା ଅଞ୍ଚଳର ପିଲା ସୋନୁ ସୁଦ। ଯିଏ ଉତ୍ସାହର ସହିତ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ସହିତ ତାଙ୍କ ଖାଦ୍ୟପେୟର ବନ୍ଦୋବସ୍ତ କରି ସାହାଯ୍ୟ କରୁଛନ୍ତି। ସୋନୁ ତୁମେ ଖୁବ୍‌ ଉତ୍ତମ କାମ କରୁଛ।”

ପଞ୍ଜାମ ମୁଖ୍ୟମନ୍ତ୍ରୀଙ୍କର ଏହି ଟ୍ୱିଟ୍‌ର ଯବାବ ଦେଇଛନ୍ତି ସୋନୁ। ସେ ଲେଖିଛନ୍ତି “ ଆପଣଙ୍କର ଏଭଳି କଥା ପାଇଁ ଖୁବ୍‌ ଧନ୍ୟବାଦ।ସାର୍। ଆପଣ ସବୁବେଳେ ମୋ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ମୁଁ ଆମ ପଞ୍ଜାବକୁ ଗର୍ବିତ କରିବା ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଉଛି।”

ପଞ୍ଜାବ ରାଜ୍ୟପାଳ ଭଗତ ସିଂହ ଖୋଶ୍ୟାରୀ ମଧ୍ୟ ସୋନୁଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସୋନୁ ମଧ୍ୟ ଖୋଶ୍ୟାରୀଙ୍କୁ ଧନ୍ୟବାଦ ଦେବା ସହିତ ପ୍ରେରଣାଦାୟୀ କଥା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ପ୍ରବାସୀଙ୍କୁ ନିଜ ଖର୍ଚ୍ଚରେ ଘରକୁ ପଠାଇବା ସହିତ ସୋନୁ ପୂର୍ବରୁ କରୋନା ମୁକାବିଲା ପାଇଁ ପଞ୍ଜାବର ଡାକ୍ତରମାନଙ୍କୁ ୧୫୦୦ ପିପିଇ କିଟ୍‌ ଦାନ କରିଥିଲେ। କେବଳ ସେତିକି ନୁହେଁ, ମୁମ୍ବାଇର ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ଏକ ହୋଟେଲ୍‌ ମଧ୍ୟ ଫ୍ରି କରିଛନ୍ତି।  ଦବଙ୍ଗ ଫେମସ୍‌ ଆକ୍ଟର ସୋନୁ ସୁଦ ସମାଜ ସେବା ପାଇଁ ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି।

You might also like