ହସ୍ପିଟାଲରେ ଜଗୁଆଳି କାମ କରି ପୁଅକୁ ଡାକ୍ତର କଲେ କଳ୍ପନା

ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଅନଟନ, ପୁଅର ପାଠପଢ଼ା ପାଇଁ ପରଘରେ ବାସନ ମାଜିଲେ ସିନା ହାରି ମାନିଲେନି

ପିମ୍ପରି: ଅଭାବ ଅନଟନ ଆଗରେ ଭାଙ୍ଗି ପଡ଼ିଲାନି ମା’ର  ମମତା । ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଣ୍ଟକିତ ଦୁନିଆକୁ ସୁନ୍ଦର କରି ଗଢ଼ିତୋଳିଲା ମା’। ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଦୁରବସ୍ଥା । କଥାରେ ଅଛି  ଦୃଢ଼ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ । ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ପୁଣେରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଦିନ ରାତି କଠିନ ପରିଶ୍ରମି କରି ପୁଅକୁ ଡାକ୍ତର କରିପାରିଛନ୍ତି। ତେବେ ଏହା ଏତେ ସହଜ ନଥିଲା, ପୁଅକୁ ପାଠ ପଢ଼ାଇବା ପାଇଁ  ପେଟରେ ଓଦାକନା ଦେଇ ରାତି ରାତି ତାଙ୍କୁ ଉପାସରେ ଶୋଇବାକୁ ପଡ଼ିଛି।

ମୁମ୍ବାଇର ପିମ୍ପରି ନିବାସୀ ୫୫ ବର୍ଷିୟ କଳ୍ପନା ଆଢ଼ାବ ଗତ ୧୪ ବର୍ଷ ଧରି ଏକ ଡାକ୍ତରଖାନାରେ  ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି। ଆଜିର ପୁରୁଷପ୍ରଧାନ ସମାଜରେ ରାତି ରାତି ଡାକ୍ତରଖାନା ବାହାରେ ଛିଡ଼ା ହୋଇ ଡ୍ୟୁଟି କରିବା କେତେ କଷ୍ଟ ସେ ମର୍ମେ ମର୍ମେ ଅନୁଭବ କରିଛନ୍ତି। ଲୋକଙ୍କ ଟାହିଟାପରାକୁ ଅଣଦେଖା କରି ଏତେ ସବୁ କଷ୍ଟ ସେ ଖୁସି ଖୁସି ନିଜ ପୁଅ ପାଇଁ ସହିଯାଉଥିଲେ। ତେବେ ଡାକ୍ତରଖାନା ସାମ୍ନାରେ ଛିଡ଼ା ହୋଇ ହୋଇ ଖୋଲା ଆଖିରେ ଏକ ସ୍ୱପ୍ନ  ସ୍ୱପ୍ନ ବୁଣିଥିଲେ। ସବୁ ଦିନ ଡାକ୍ତରଙ୍କୁ ଆସୁଥିବା ଯାଉଥିବା ଦେଖି ନିଜ ପୁଅକୁ ବି ଡାକ୍ତର କରିବାକୁ ଚିନ୍ତା କରିଥିଲେ । ପୁଅ ଅମିତ ମେଧାବୀ ଥିଲେ ସୁଦ୍ଧା ପାଠପଢ଼ାରେ ବାଟ ଓଗାଳୁଥିଲା ଆର୍ଥିକ ସ୍ଥିତି। ମେଡ଼ିକାଲ କୋଚିଂ ପାଇଁ ହଜାର ହଜାର ଟଙ୍କା ଦରକାର ପଡ଼ୁଥିଲା। ପୁଅକୁ ଡାକ୍ତର କରିବାକୁ ରାତିରେ ଡ୍ୟୁଟି ସାରି ଫେରିବା ପରେ ଘରେ ଘରେ ବାସନ ମଧ୍ୟ ମାଜୁଥିଲେ କଳ୍ପନା ।

କଳ୍ପାନା ନିଜ ପୁଅ ସହ ଏକ ଛୁପୁଡ଼ି ଘରେ ରୁହନ୍ତି। ପୁଅ  ଅମିତକୁ ମାତ୍ର ଏକ ବର୍ଷ ହୋଇଥିବା ବେଳେ ଉଭୟଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ପଳାଇ ଯାଇଥିଲେ।  ସ୍ୱାମୀ ସିନା ପର କରିଦେଲେ, ହେଲେ କୁନି ପୁଅର ଭାର ଉଠାଇବା ପାଇଁ ତାଙ୍କୁ ହସ୍ପିଟାଲରେ ସୁରକ୍ଷାକର୍ମୀ ଚାକରି କରିବାକୁ ପଡ଼ିଲା । ଏହି କାମ କରିବା ପରେ ଆଉ କିଛି ରୋଜଗାର କରିବା ପାଇଁ ସେ ପର ଘରେ ମୂଲ ମଧ୍ୟ ଲାଗିଛନ୍ତି।ତେବେ ମା’ର କଠିନ ପରିଶ୍ରମକୁ ପାଣିରେ ପଡ଼ିବାକୁ ଦେଲେନି ଅମିତ। ଚଳିତ ବର୍ଷ ଏମବିବିଏସ ପରୀକ୍ଷାରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ତେବେ ଆଗକୁ ପଢ଼ିବା ପାଇଁ ଇଂଲଣ୍ଡ ଯିବାକୁ ଚାହାନ୍ତି। ହେଲେ ସେଥିପାଇଁ କଳ୍ପନାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ।

ଚାକିରି ଆରମ୍ଭ ସମୟରେ ତାଙ୍କୁ ମାତ୍ର ମାସିକ ୩ ହାଜର ଟଙ୍କା ଦରମା ମିଳୁଥିଲା । ବର୍ତ୍ତମାନ ଦରମା ବ‍ଢ଼ି ବଢ଼ି ୧୪ ହଜାର ଟଙ୍କା ଦରମା ପାଆନ୍ତି। ତଥାପି ଏତିକି ଟଙ୍କାରେ ଖାଇପିଇ ପୁଅକୁ ପାଠ ପଢ଼ାଇବା କଷ୍ଟକର। ସେପଟେ ପୁଅ ଏକ ଘରୋଇ ହସ୍ପିଟାଲରେ ଇଂଟର୍ଣ୍ଣସିପ କରୁଛି। ଏମଏସ ପାଠପଢ଼ା ପାଇଁ ଆଡ଼ମିସନ ହୋଇସାରିଛି, ହେଲେ ଇଂଲଣ୍ଡ ପଠାଇବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ। ଏତେ ବାଟ ଆଗେଇବା ପରେ ଆଉ ପଛକୁ ଫେରିବାକୁ ଚାହଁନାହାନ୍ତି କଳ୍ପନା। ବିଦଶରେ ପାଠପଢ଼ା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବାରୁ, ରାଜ୍ୟ ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଗୁହାରୀ କରିଛନ୍ତି  । ପୁଅକୁ ପାଠପଢ଼ାରେ ସାହାଯ୍ୟ କରିବାକୁ ନିବେଦନ କରୁଛନ୍ତି ।

ଆହୁରି ପଢନ୍ତୁ :  ସଫଳ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ

You might also like