ମନେ ପଡୁଛନ୍ତି ବୀର ଯୱାନ…..ଭାରତ ଲାଗି ଥିଲା କଳାଦିନ

ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ବିତିଲା

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ବିତିଲା। ଆଜିର ଦିନରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ। ୨୦୧୯ ମସିହା ଫେବୃୟାରୀ ୧୪ତାରିଖରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ରୁ ଅଧିକ ବୀର ଯବାନ। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ସିଆରପିଏଫ ଯବାନ ଯାଉଥିବା ବେଳେ ଲେଥାପୁରାଠାରେ ଆତଙ୍କବାଦୀ କରିଥିଲେ ହମଲା। ଆତ୍ମଘାତୀ ବିସ୍ଫୋରଣରେ ଉଡିଯାଇଥିଲା ସିଆରପିଏଫ ଯବାନଙ୍କ ଗାଡି।

ଆତଙ୍କବାଦୀ ଏକ ଗାଡିରେ ବିସ୍ଫୋରକ ସାମଗ୍ରୀ ରଖି ଯବାନଙ୍କ ଗାଡିରେ ଧକ୍କା ଦେଇଥିଲେ। ବିସ୍ଫୋରଣର ମାତ୍ରା ଏମିତି ଥିଲା ଯେ, ପଛକୁ ପଛ ଆସୁଥିବା ଗାଡି ଗୁଡିକୁ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଥିଲା। ଏହି ଆକ୍ରମଣରେ ପ୍ରାୟ ୧ କ୍ୱିଣ୍ଟାଲ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ଏଭଳି ହୀନ ଆକ୍ରମଣ ପଛରେ ଜୈସ-ଏ-ମହମ୍ମଦ ଆତଙ୍କୀଙ୍କ ହାତ ଥିବା ଜଣାପଡିଥିଲା।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ହୁଏତ ସେହି ଘଟଣା ଭାରତ ଇତିହାସରେ କେବେ ପୂର୍ବରୁ ହୋଇନଥିଲା କି ଆଗାମୀ ଦିନରେ ନହେଉ ମଧ୍ୟ।

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଲା ପାଗର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଯାଇଥିଲା ରାଜରାସ୍ତା ।  ଏହି ଘଟଣାରେ ପୁରା ଦେଶ ସ୍ତମ୍ଭୀଭୂତ ହୋଇଯାଇଥିଲା । ଚାରିଆଡ଼େ ଖେଳି ଯାଇଥିଲା ଅବ୍ୟକ୍ତ ନୀରବତା । ଶୋକରେ ବୁଡ଼ିଯାଇଥିଲା ପୁରା ଦେଶ ।

ଏହି ଘଟଣା ଦେଶର ହୃଦୟକୁ ଏଭଳି ଭାବେ ଦୋହଲାଇଥିଲା ଯେ ସମସ୍ତଙ୍କ ଆଖିରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିଥିଲା । ଟିଭି, ସୋସିଆଲ୍ ମିଡିଆ ଠାରୁ ଆରମ୍ଭ କରି ସରକାର ମଧ୍ୟ ଏହାର ପାଲଟା ଜବାବ୍ ଦେବାକୁ ଅଣ୍ଟା ଭିଡିଥିଲେ । ଭାରତୀୟ ସେନା ପୁଲୱାମା ଆକ୍ରମଣର ଠିକ୍ ୧୨ ଦିନ ପରେ ଆତଙ୍କୀଙ୍କ ଉପରେ ଆକ୍ରମଣ କରିଥିଲା । ଫେବୃୟାରୀ ୨୬ ଭାରତୀୟ ବାୟୁସେନା ପାକ୍ ସ୍ଥିତ ବାଲାକୋଟ୍ ର ଆତଙ୍କୀ ସଂଗଠନ ଜୈସ୍ – ଏ – ମହମ୍ମଦ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା । ତେବେ ଆଜିର ଦିନରେ ବି ପୁଲୱାମା ଘଟଣାକୁ କେହି ଭୁଲିନାହାନ୍ତି କି ଭୁଲିବେ ନାହିଁ ମଧ୍ୟ।

You might also like