ପୁଡୁଚେରୀରେ ଭୁଶୁଡ଼ିଲା କଂଗ୍ରେସ ସରକାର, ବହୁମତ ସାବ୍ୟସ୍ତ କରି ପାରିଲେନି

ପୁଡୁଚେରୀ: ପୁଡୁଚେରୀରେ କ୍ଷମତା  ହରେଇଲା କଂଗ୍ରେସ। ଏକାଧିକ ବିଧାୟକ  ସୋମବାର ଇସ୍ତଫା ଦେବା ପରେ ଏଠାରେ ରାଜନୈତିକ ସଙ୍କଟ ଦେଖା ଦେଇଥିଲା। ଏ ନେଇ ସରକାର ସୋମବାର ଆସ୍ଥା ଭୋଟରେ ବହୁମତ ସାବ୍ୟସ୍ତ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ଏହା ପୂର୍ବରୁ ବିଧାନସଭାରୁ ବାହାରି ଯାଇଛନ୍ତି। ଏହା ପରେ ସେ  ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସୂଚନାଥାଉ କି, ଗତ ସପ୍ତାହରେ ଏକାଧିକ ବିଧାୟକ  ଇସ୍ତଫା ଦେବା ପରେ କଂଗ୍ରେସ ସରକାରରେ ସଙ୍କଟ ଦେଖା ଦେଇଥିଲା। ଏପରିକି ରବିବାର ମଧ୍ୟ ୨ ଜଣ ବିଧାୟକ ଇସ୍ତଫା ଦେଇଥିଲେ। ଏହା ପରେ ବି ଭି.ନାରାୟଣସାମୀଙ୍କ ପାଖରେ ୧୧ ଜଣ ବିଧାୟକ ଥିଲେ। ଅନ୍ୟପକ୍ଷେ ବିରୋଧୀଙ୍କ ପକ୍ଷରେ ୧୪ ଜଣ ବିଧାୟକ ଥିଲେ।

ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ନବନିଯୁକ୍ତ ଉପ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ସରକାର ବହୁମତ ହରାଇଥିବା ବିରୋଧୀ ଦାବି କରିବା ପରେ ଉପଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ବହୁମତ ଥିବା ଦାବି କରିଥିଲେ। ଏପରିକି ବିଧାନସଭାରେ ମଧ୍ୟ ବହୁମତ ଥିବା କହିଥିଲେ। ହେଲେ ଭୋଟିଂ ପୂର୍ବରୁ ସେ ବାହାରି ଯାଇଥିଲେ।

ସୂଚନାଥାଉ କି, କଂଗ୍ରେସ ବିଧାୟକ କେ.ଲକ୍ଷ୍ମୀନାରାୟଈ ଏବଂ ଦ୍ରମୁକ ବିଧାୟକ ଭେଙ୍କଟେଶନ ରବିବାର ଇସ୍ତଫା ଦେଇଥିଲେ। ଏହା ପରେ ୩୩ ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ କଂଗ୍ରେସ-ଦ୍ରମକ ମେଣ୍ଟ ପାଖରେ ୧୧ ବିଧାୟକଙ୍କ ସମର୍ଥନ ଥିଲା।

ଏଠି କହିରଖିବୁ,୩୩ ସିଟ୍ ବିଶିଷ୍ଟ ବିଧାନସଭାରେ ୩୦ ସିଟ୍ ପାଇଁ ହୋଇଥାଏ ନିର୍ବାଚନ। ୩ ସଦସ୍ୟ ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି। ପୁଡୁଚେରୀ ମୁଖ୍ୟତଃ କଂଗ୍ରେସର ଗଡ଼ ଭାବେ ପରିଚିତ। କଂଗ୍ରେସ ୧୫ ଆସନରେ ବିଜୟ ହେବା ସହ ଡିଏମ୍‌ ୩ ଏବଂ ନିର୍ଦ୍ଦଳୀୟ ଜଣେ ସଦସ୍ୟଙ୍କୁ ନେଇ ସରକାର ଗଢ଼ିଥିଲା ।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ଇସ୍ତଫା ଦେଇଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ, ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବା ଦରକାର। ଯେଉଁମାନେ ଇସ୍ତଫା ଦେଇଛନ୍ତି, ସେମାନେ ଦଳର ବିଶ୍ୱାସ ଭାଙ୍ଗିଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ସୁବିଧାବାଦୀ ବୋଲି ସେ କହିଛନ୍ତି।
ନିଜର ଅଭିଭାଷଣ ବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ତାମିଲନାଡୁ ଓ ପୁଡୁଚେରୀରେ ଆମେ ୨ଟି ଭାଷା ବ୍ୟବସ୍ଥା କରିଛୁ। ହେଲେ ବିଜେପି ପକ୍ଷରୁ ଏଠାରେ ଜୋରଜବରଦସ୍ତ ହିନ୍ଦୀ ଭାଷା ଲାଗୁ କରିବାକୁ ଚେଷ୍ଟା କରାଯାଉଛି। ଆମେ ଡିଏମକେ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର କରିଥିଲୁ। ଏହାପରେ ହୋଇଥିବା ଉପନିର୍ବାଚନରେ ବି ଆମେ ଜିତିଥିଲୁ। ଏଥିରୁ ସ୍ପଷ୍ଟ ଯେ ପୁଡୁଚେରୀବାସୀ ଆମ ସହ ରହିଥିଲେ ବୋଲି ନାରାୟଣସୀମୀ କହିଛନ୍ତି।
ଅଭିଭାଷଣ ଦେବା ପରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜ ସହକର୍ମୀଙ୍କ ସହ ବିଧାନସଭାରୁ ବାହାରି ରାଜଭବନ ଯାଇଥିଲେ ଏବଂ ସେଠାରେ ତାଙ୍କ ଇସ୍ତଫା ପତ୍ର ଉପରାଜ୍ୟପାଳ ଟି.ସୌନ୍ଦରାରାଜନଙ୍କୁ ଦେଇଥିଲେ। 
You might also like