ଦେଶରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଯାତ୍ରୀ ପରିବହନ ସେବା

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଯାତ୍ରୀ ପରିବହନ ସେବା। କେତେକ ନିର୍ଦ୍ଧିଷ୍ଟ ନିୟମାବଳୀ ଭିତ୍ତିରେ ଯାନବାହନ ଚଳାଚଳ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ତେବେ କେବେ ସୁଦ୍ଧା ଗାଡ଼ି ଚଳାଚଳ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।

ଦେଶରେ ବିଭିନ୍ନ ହାଇୱେ କନ୍‌ଷ୍ଟ୍ରକ୍ସନ୍‌ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶିଳ୍ପ ସଂସ୍ଥା ମଧ୍ୟ ଚାଲୁ ହୋଇଛି। ସେହିପରି ଆମଦାନୀ ଓ ରପ୍ତାନୀ କାର୍ଯ୍ୟ ବି ଆରମ୍ଭ ହୋଇଛି। ତେଣୁ ପରିବହନ ସେବାକୁ ମଧ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ବସ୍ ଆଣ୍ଡ୍‌ କାର୍ ଅପରେଟର୍ସ କନଫେଡେରେସନ ଅଫ ଇଣ୍ଡିଆ(BOCI) ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ନୀତିନ ଗଡ଼କରି ଏହା କହିଛନ୍ତି।

ଲକଡାଉନ ଘୋଷଣା ହେବା ପରଠାରୁ ଦେଶରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଫଳରେ ଦେଶର ଅନେକ ସ୍ଥାନରେ ଲୋକେ ଫସି ରହିଛନ୍ତି। ସେମାନଙ୍କ ସୁବିଧା ଲାଗି ବିମାନ, ରେଳ ଓ ବସ୍ ସେବାକୁ କିଛି ମାତ୍ରାରେ ଆରମ୍ଭ କରିବା ଲାଗି ସରକାର ବିଚାର କରୁଥିବା ସେ କହିଛନ୍ତି ।

ସାମାଜିକ ଦୂରତା ସମେତ ଅନ୍ୟ ସମସ୍ତ ପ୍ରତିଷେଧ ବ୍ୟବସ୍ଥା ଯେମିତିକି ହ୍ୟାଣ୍ଡଓ୍ୱାସ, ସାନିଟାଇଜର ଓ ମାସ୍କ ପିନ୍ଧିବା ଭଳି ନିୟମ ବାଧ୍ୟତାମୂଳକ ହେବ ବୋଲି ଗଡକରି କହିଛନ୍ତି।

You might also like