ଆମେରିକାରେ କୁହୁଳୁଛି ଜନ ଅସନ୍ତୋଷ; ୫ ସହରରେ ପୋଡ଼ାଜଳା, ବିକ୍ଷୋଭ

ଚିକାଗୋ: ଆମେରିକାରେ ଥମୁନି ଉତ୍ତେଜନା। ଆମେରିକାର ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହେବା ପରେ ଏହାକୁ ନେଇ ପ୍ରତିବାଦ ଜୋର ଧରିଛି। ଲୋକଙ୍କ ଭିତରେ ଦେଖାଦେଇଥିବା ଅସେନ୍ତାଷ ଏବେ ବିଭିନ୍ନ ସହରକୁ ବ୍ୟାପିଛି। ହଜାର ହଜାର ସଂଖ୍ୟାରେ ଲୋକ ରାସ୍ତାରେ ଆସି ବିକ୍ଷୋଭ କରୁଛନ୍ତି। ପରିସ୍ଥିତିକୁ ନଜରରେ ରଖି ଆମେରିକାର ଅନେକ ସହରରେ ଜାରି ହୋଇଛି କର୍ଫ୍ୟୁ। ଲୋକମାନଙ୍କ ବାହାରକୁ ଯିବା ଉପରେ କଟକଣା ଜାରି କରିଛି ଟ୍ରମ୍ପ ପ୍ରଶାସନ।

ଲଗାତର ପଞ୍ଚମ ଦିନ ପାଇଁ ବିକ୍ଷୋଭକାରୀଙ୍କ ପ୍ରତିବାଦ। ଆମେରିକାର ମିନେପୋଲିସରେ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ରାସ୍ତାକୁ ଆସି ପ୍ରତିବାଦ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ନିୟନ୍ତ୍ରଣ କରିବାକୁ ପୋଳିସକୁ ଲୁହବୁହା ଗ୍ୟାସ ସହ ଲାଠିଚାଳନା କରିବାକୁ ପଡିଛି। ମିନେପୋଲିସରେ ଦେଖାଦେଇଥିବା ପ୍ରତିବାଦର ସ୍ୱର ଏବେ ବିଭିନ୍ନ ସହରକୁ ବ୍ୟାପିଲାଣି।

ଲସ ଆଞ୍ଜେଲସ, ଚିକାଗୋ, ଆଟଲାଣ୍ଟା, ନ୍ୟୁୟର୍କ, ସିଆଟଲ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଗତ ସୋମବାର ମିନେପୋଲିସରେ ଏକ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ଥାର୍ଡ ଡିଗ୍ରୀରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଜଣେ ନିରସ୍ତ୍ର ବ୍ୟକ୍ତିଙ୍କ ଗଳାକୁ ଚାପି ପୋଲିସ କର୍ମଚାରୀ ଜଣଙ୍କ ଦୀର୍ଘ ସମୟ ଧରି ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା।

ଏହି ଘଟଣାରେ ସଂପୃକ୍ତ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କିନ୍ତୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ସହ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ। ମିନେପୋଲିସରୁ ଦେଖାଦେଇଥିବା ଏହି ନିଆଁ ଏବେ ଅନ୍ୟ ସହରକୁ ବ୍ୟାପିଲାଣି। ଲସ ଆଞ୍ଜେଲସ ସହରରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି।

ଉତ୍ତ୍ୟକ୍ତ ଲୋକମାନେ ଗୋଟିଏ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଆଣ୍ଟଲାଣ୍ଟା ସହରରେ ପ୍ରତିବାଦ ଭୟଙ୍କର ରୂପ ନେଇଛି। ଅନେକ ସ୍ଥାନରେ ପୋଡାଜଳା ହେବା ସହ ଲୋକମାନେ ପୋଲିସକୁ ଟାର୍ଗେଟ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅନେକ ସହରରେ କର୍ଫ୍ୟୁ ଜାରି ହେବା ସହ ନ୍ୟାସନାଲ ଗାର୍ଡକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

You might also like