ଉତ୍ତମ ମାନର କ୍ଷୀର ଯୋଗାଇବାରେ ବଡ଼ ବଡ଼ ବ୍ରାଣ୍ଡ୍ ବିଫଳ !
ନୂଆଦିଲ୍ଲୀ: କେବଳ କଞ୍ଚା କ୍ଷୀର ନୁହେଁ, ପ୍ରୋସେସ୍ଡ ମିଲ୍କର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏପରିକି ବଡ଼ ବଡ଼ ବ୍ରାଣ୍ଡ୍ ମଧ୍ୟ ଉତ୍ତମ ମାନର କ୍ଷୀର ଯୋଗାଇବାରେ ବିଫଳ ହୋଇଛନ୍ତି। ଖାଦ୍ୟ ନିୟନ୍ତ୍ରକ ଏଫ୍ଏସ୍ଏସ୍ଏଆଇ ପକ୍ଷରୁ ଏଭଳି ସାଂଘାତିକ ତଥ୍ୟ ଦିଆଯାଇଛି।
ଶୁକ୍ରବାର ଏହି ତଥ୍ୟ ରଖି ଏଫ୍ଏସ୍ଏସ୍ଏଆଇ ସିଇଓ ପୱନ୍ ଅଗ୍ରୱାଲ କହିଛନ୍ତି, ଏହାର ପ୍ରକ୍ରିୟାକରଣକୁ ନେଇ ସମସ୍ୟା ଉପୁଜିଛି। କିଛି ନମୁନାକୁ ନେଇ କରାଯାଇଥିବା ପରୀକ୍ଷା ଅନୁଯାୟୀ କ୍ଷୀରର ପ୍ରକ୍ରିୟାକରଣ କରାଯିବା ପରେ ଏଥିରେ ଆଫ୍ଲାଟକ୍ସିନ୍-ଏମ୍୧, ଆଣ୍ଟିବାୟୋଟିକ୍ ଏବଂ ପେଷ୍ଟିସାଇଡ୍ର ପରିମାଣ ଅଧିକ ମିଳିଛି। ଏହି ତଥ୍ୟ ଜାଣିବା ପରେ ଏସବୁକୁ ଯାଞ୍ଚ କରିବା ପାଇଁ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କ୍ୱାଲିଟି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂରା ବ୍ୟବସ୍ଥାରେ ୨୦୨୦ ଜାନୁଆରୀ ୧ ସୁଦ୍ଧା ଟେଷ୍ଟିଂ ଏବଂ ପରିଦର୍ଶନ ଲାଗୁ କରାଯିବ।
୨୦୧୮ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧,୧୦୩ ସହରରୁ ୬୪୩୨ କ୍ଷୀର ନମୁନା ସଂଗ୍ରହ କରାଯାଇଥିଲା। ଏହା ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରୁ ଅଣାଯାଇଥିଲା।