ଶେଷରେ ସୋନଭଦ୍ରା ହତ୍ୟାକାଣ୍ଡରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସୋନଭଦ୍ରା ଜମିଜମା ଗଣ୍ଡଗୋଳରେ ହତ୍ୟାର ଶିକାର ହୋଇଥିବା ଲୋକଙ୍କ ପରିବାରକୁ  ଶେଷରେ ଭେଟିଲେ ପ୍ରିୟଙ୍କା ଗାନ୍ଧି।  ମିର୍ଜାପୁର ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଚୁନାର ଅତିଥି ଭବନକୁ ଆଣିଥିଲା। ସଠାରେ ସେମାନେ ପ୍ରିୟଙ୍କାଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ  ଗୁଳିକାଣ୍ଡ ସଂପର୍କରେ ଆଲୋଚନା ହୋଇଥିଲା।

ଏହି ଘଟଣାରେ ପୋଲିସ ଓ ରାଜ୍ୟ ସରକାର ମୃତକଙ୍କ ପରିବାର ପ୍ରତି ଅନ୍ୟାୟ ଓ ଅବହେଳା କରିଥିବା ପ୍ରିୟଙ୍କା କହିଛନ୍ତି । ତେବେ ସେ ମାତ୍ର ଦୁଇଜଣ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ଅନ୍ୟମାନଙ୍କୁ ଭେଟିବା ଲାଗି ତାଙ୍କୁ ଅନୁମତି ଦିଆଯାଇ ନ ଥିଲା ବୋଲି ସେ କହିଛନ୍ତି।
ସୂଚନା ଥାଉ କି, ବୁଧବାରସୋନଭଦ୍ରା ଜିଲ୍ଲା ଉମ୍ଭା ଗାଁରେ ଜମି ଗଣ୍ଡଗୋଳକୁ ନେଇ ଆଦିବାସୀ ସଂପ୍ରଦାୟର ୧୦ ଜଣଙ୍କୁ ଗୁଳି କରି ଗାଁ ମୁଖିଆ ହତ୍ୟା କରିଥିଲେ । ସେମାନଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯିବାବେଳେ ୟୁପି ପୋଲିସ ପ୍ରିୟଙ୍କାଙ୍କୁ ମିର୍ଜାପୁରର ନାରାୟଣପୁରରେ ଅଟକ ରଖିଥିଲା।

ଏହାପରେ ତାଙ୍କୁ ନିଜ ହେପାଜତକୁ ନେଇଥିଲା ପ୍ରଶାସନ । ସେଠାରୁ  ତାଙ୍କୁ ଚୁନାର ଅତିଥି ଭବନକୁ ନିଆଯାଇଥିଲା। ସେଠାରେ ପ୍ରିୟଙ୍କା ରାତି ତମାମ ଧାରଣାରେ ବସିଥିଲେ॥ ପ୍ରିୟଙ୍କାଙ୍କୁ ଅଟକ ରଖିବାକୁ ନେଇ ତାଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନାରାବାଜି କରିଛନ୍ତି । ଏହାସହ ଦେଶର ବିଭିନ୍ନ ସ୍ଥାନରେ ପ୍ରିୟଙ୍କାଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ।

You might also like