ବେକାବୁ କରୋନା ସଂକ୍ରମଣ ଭିତରେ ଦେଶ ଛାଡ଼ୁଛନ୍ତି ଭାରତୀୟ

୧୦ ଗୁଣା ଅଧିକ ଭଡ଼ା ଦେଇ ଯାଉଛନ୍ତି ଦୁବାଇ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର କହର ଭିତରେ ଦେଶ ଛାଡ଼ି ପଳାୟନ କରୁଛନ୍ତି ଭାରତୀୟ । ଜୀବନ ବିକଳରେ ୧୦ ଗୁଣା ଅଧିକ ଭଡ଼ା ଦେଇ ଦୁବାଇ ଚାଲିଯାଉଛି । ଫଳରେ ୟୁଏଇର ଟିକେଟ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ ପ୍ରାଇଭେଟ ଜେଟର ଚାହିଦା ମଧ୍ୟ ବର୍ତ୍ତମାନ ସମୟରେ ବଢ଼ିଯାଇଛି । ୟୁଏଇର ଫ୍ଲାଇଟ୍ ବନ୍ଦ ହେବା ପୂର୍ବରୁ ଅନେକ ସଂଖ୍ୟାରେ ଲୋକେ ଦେଶଛାଡ଼ି ବିଦେଶକୁ ପଳାୟନ କରୁଛନ୍ତି ।

ଭାରତରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମେଡିକାଲ ଗୁଡ଼ିକର ମଧ୍ୟ ସ୍ଥିତି ଭଲ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଉପରେ ଚାପ ବଢ଼ି ବଢ଼ି ଚାଲିଛି । ଏପରିସ୍ଥଳରେ ଗତ ରବିବାର ଭାରତରୁ ୟୁଏଇ ଯାଉଥିବା ଫ୍ଲାଇଟ୍ ଉପରେ ପ୍ରତିବନ୍ଧ ଲଗାଇଥିବା ଘୋଷଣା କରିଛନ୍ତି ୟୁଏଇ ସରକାର । ସୂଚନା ଅନୁସାରେ ୟୁଏଇ ଓ ଭାରତ ମଧ୍ୟରେ ଆକାଶପଥ ବ୍ୟସ୍ତତମ ରୁଟ ମଧ୍ୟରୁ ଅନ୍ୟତମ । ଫ୍ଲାଇଟ୍ ଟିକେଟର ତୁଳନା କରୁଥିବା ୱେବସାଇଟ୍ ଅନୁସାରେ, ମୁମ୍ବାଇରୁ ଦୁବାଇ ଯାଉଥିବା କମର୍ସିଆଲ ଫ୍ଲାଇଟରେ ଟିକେଟ ଦାମ ୮୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହା ସାଧାରଣ ଦିନରେ ଦାମ ଠାରୁ ଦଶ ଗୁଣା ଅଧିକ ବୋଲି ଜଣାପଡ଼ିଛି ।

 ସେହିପରି ଦିଲ୍ଲୀରୁ ଦୁବାଇ ଯାଉଥିବା ଫ୍ଲାଇଟର ମୂଲ୍ୟ ୫୦ ହଜାରକୁ ବୃଦ୍ଧି ପାଇଛି, ଯାହା ସାଧାରଣ ଦିନ ତୁଳନାରେ ୫ ଗୁଣା ଅଧିକ । ତେବେ ୟୁଏଇ ପ୍ରଶାସନ ପ୍ରତିବନ୍ଧ ଘୋଷଣା କରିବା ପରେ ଏବେ କୌଣସି ଫ୍ଲାଇଟର ଟିକେଟ ଉପଲବ୍ଧ ନାହିଁ । ସେପଟେ ବର୍ତ୍ତମାନ ଘରୋଇ ବିମାନର ଚାହିଦା ମଧ୍ୟ ବହୁତ ବୃଦ୍ଧି ପାଇଛି ବୋଲି କହିଛନ୍ତି ଏୟାର ଚାର୍ଟର୍ ସର୍ଭିସ କମ୍ପାନୀର ମୁଖପାତ୍ର । ଗତକାଲି ଦୁବାଇକୁ ଯାଇଥିବା ୧୨ଟି ଜାକ ଫ୍ଲାଇଟ୍ ଫୁଲ ଥିବା ସେ କହିଛନ୍ତି ।

 

ସୂଚନାଯୋଗ୍ୟ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୪୬, ୭୮୬ ଜଣ ସଂକ୍ରମିତ ହୋଇଛନ୍ତି । ଆଜିର ନୂଆ ସଂକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ,  ଭାରତରେ ଲଗାତର ତୃତୀୟ ଦିନ ୩ ଲକ୍ଷ ପାର ଦୈନିକ ସଂକ୍ରମଣ । ସେହିପରି ଆଜି ଦିନକରେ ୨୬୨୪ ଜଣଙ୍କର ଜୀବନ ନେଇଛି କରୋନା । ଫଳରେ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪ରେ ପହଞ୍ଚିଛି।

You might also like