ବ୍ରିଟେନ୍‌ କ୍ୟାବିନେଟ୍‌ରେ ଭାରତୀୟ ମନ୍ତ୍ରୀ-ପ୍ରୀତି, ଆଲୋକ ଓ ଋଷି

ନୂଆଦିଲ୍ଲୀ: ନବନିର୍ବାଚିତ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନଙ୍କ କ୍ୟାବିନେଟ୍‌ରେ ଭାରତୀୟ।  ଜଣେ କି ଦୁଇ ଜଣ ନୁହେଁ, ୩ ଜଣ  ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। 

କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ୩ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଅଛନ୍ତି ପ୍ରୀତି ପଟେଲ। ତାଙ୍କ ପରିବାର ଓ ସମ୍ପର୍କୀୟ ଗୁଜରାଟ ଅଞ୍ଚଳର। ବ୍ରିଟିଶ କ୍ୟାବିନେଟ୍‌ରେ ତାଙ୍କୁ ମିଳିଛି ଗୃହମନ୍ତ୍ରୀ ଦାୟିତ୍ୱ । ଏହା ପୂର୍ବରୁ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ବ୍ରିଟିଶ ସରକାରରେ ଏପରି ଗୁରୁ ଦାୟିତ୍ୱ ଦିଆଯାଇ ନ ଥିଲା।

ସେହିପରି ଟେରିସା ମେ’ ସରକାରରେ କନିଷ୍ଠ ମନ୍ତ୍ରୀ ଥିବା ଆଲୋକ ଶର୍ମାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇଛି। ସେ ଅନ୍ତର୍ଜାତୀୟ ଉନ୍ନୟନ ବିଭାଗର ମନ୍ତ୍ରୀ ରହିଛନ୍ତି। ବ୍ରିଟେନର ଏହି ମନ୍ତ୍ରୀ ଉତ୍ତର ପ୍ରଦେଶର ଆଗ୍ରାରେ ଜନ୍ମ ଗ୍ରହଣ କରିଥିଲେ। ଆଲୋକ ଶର୍ମା ୨୦୧୦ରୁ ରିଡିଂ ୱେଷ୍ଟର ଏମପି ଭାବେ ନିର୍ବାଚିତ ହୋଇଆସୁଛନ୍ତି।

ଇନ୍‌ଫୋସିସ୍‌ର ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତିଙ୍କ ଜ୍ଵାଇଁ ରିଷି ସୁନାକ ନୂଆ ଚାନ୍‌ସେଲର ସାଜିତ ଜାଭେଦଙ୍କ ଅଧୀନରେ ଟ୍ରେଜେରି ମୁଖ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ କନିଷ୍ଠ ମନ୍ତ୍ରୀ ରହିଛନ୍ତି।

ବ୍ରିଟେନ୍‌ର ୩୧ ସଦସ୍ୟ ବିଶିଷ୍ଟ ନୂଆ କ୍ୟାବିନେଟ୍‌ରେ ପ୍ରଥମ ଥର ପାଇଁ ଭିନ୍ନ ଭିନ୍ନ ସଂସ୍କୃତିରୁ ଆସିଥିବା ନେତାଙ୍କୁ ସ୍ଥାନିତ କରାଯାଇଛି। ବ୍ରିଟିଶ କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀଙ୍କ ପରେ ବରିଷ୍ଠତା କ୍ରମରେ ପ୍ରୀତି ପଟେଲଙ୍କ ସ୍ଥାନ ତୃତୀୟରେ ରହିଛି। ନୀରବ ମୋଦି ଏବଂ ବିଜୟ ମାଲ୍ୟ ପ୍ରତ୍ୟାର୍ପଣ ମାମଲାର ନିଷ୍ପତି ପ୍ରୀତିଙ୍କ ହାତରେ ରହିଛି ।

ସବୁଠାରୁ ମଜା କଥା ହେଲା,  ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ମଧ୍ୟ ଭାରତ ସହ କିଛି ଖାସ୍‌ ସମ୍ପକଆ ରହଛି। ଅନ୍ୟ ଭାଷାରେ କହିବାକୁ ଗଲେ ସେ ଭାରତର ଜ୍ୱାଇଁ। ତାଙ୍କର ପ୍ରଥମ ପତ୍ନୀ ମରିନା ହ୍ୱିଲରଙ୍କ ମା’ ଥିଲେ ଭାରତୀୟ । ଅବଶ୍ୟ ଏବେ ସେ ମରିନାଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି।

You might also like