ଭେଣ୍ଟିଲେଟର୍‌ ସହାୟତା ପାଇଁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ: ଭାରତକୁ କରୋନା ଯୁଦ୍ଧରେ ସହାୟତା ପାଇଁ ଆମେରିକା ହାତ ବଢ଼ାଇବା ପରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଆମେରିକା ଓ ଭାରତ ମଧ୍ୟରେ ବନ୍ଧୁତ୍ୱ ଆହୁରି ସୁଦୃଢ଼ ହୋବ ବୋଲି କହିଛନ୍ତି ମୋଦି। ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ମହାମାରି ବିରୋଧରେ ସମସ୍ତେ ଏକାଠି ଲଢୁଛେ। ଏହି ସମୟରେ ସମସ୍ତ ଦେଶ ଏକାଠି ମିଶି ପୃଥିବୀକୁ ସ୍ୱାସ୍ଥ୍ୟକର କରିବା ଦିଗରେ କାର୍ଯ୍ୟ କରିବା ଓ କୋଭିଡ୍ ୧୯ରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିବା।’।

କରୋନା ଆକ୍ରାନ୍ତ ଚିକିତ୍ସା ଲାଗି ଭାରତକୁ ଭେଣ୍ଟିଲେଟର ଯୋଗାଇବାକୁ ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍‌ କରି ସୂଚନା ଦେଇଥିଲେ।

ଟ୍ୱିଟ କରି ଟ୍ରମ୍ପ କହିଥିଲେ, “ମୁଁ ଗର୍ବର ସହ ଘୋଷଣା କରିବାକୁ ଯାଉଛି ଯେ, ଭାରତୀୟ ବନ୍ଧୁଙ୍କ ପାଇଁ ଆମେରିକା ଭେଣ୍ଟିଲେଟର ଯୋଗାଇବ। ଏହି ମହାମାରୀ ସହ ଲଢ଼େଇ ବେଳେ ଆମେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଛୁ। ଟିକା ବାହାର କରିବା ପାଇଁ ଭାରତ ସହ ଆମେ ମିଳିତ ଭାବେ କାର୍ଯ୍ୟ କରୁଛୁ। ଏକାଠି ହୋଇ ଆମେ ଅଦୃଶ୍ୟ ଶତ୍ରୁକୁ ହରାଇବାକୁ ସକ୍ଷମ ହେବୁ।” ଆମେରିକାର ଏହି ସାହାଯ୍ୟ ପରେ ଭାରତ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ମୋଦି।

କରୋନାରେ ସୁବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। କରୋନା ସହିତ ଲଢ଼ିବାକୁ ଭାରତ ମଧ୍ୟ ଆମେରିକାକୁ ବିପଦ ବେଳରେ ସାହାଯ୍ୟ କରିଛି। ନିକଟରେ ଆମେରିକାକୁ ବିପୁଳ ପରିମାଣର ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ପଠାଇସାରିଛି ଭାରତ। ଆମେରିକାକୁ ଭାରତର ଔଷଧ ରପ୍ତାନି ପରେ ଆମେରିକା ରାଷ୍ଟ୍ରପତି ମଧ୍ୟ ଭାରତକୁ ଧନ୍ୟବାଦ ଦେଇଥିଲ। ଏଥିସହିତ ଭାରତର ଏହ ସାହାଯ୍ୟ ଭୁଲି ହେବନି ବୋଲି ଟ୍ୱିଟ୍ କରିଥିଲେ ଟ୍ରମ୍ପ।

You might also like