ରବିବାର ସକାଳ ୭ଟା ପରେ ଘରୁ ନବାହାରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ: ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନାର ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ।

ସେ କହିଥିଲେ, ‘ସାରା ବିଶ୍ୱରେ କରୋନା ଭାଇରସ୍ ବିଶ୍ୱ ସଙ୍କଟ ଭାବେ ଉଭା ହୋଇଛି। ମୁଁ ଦେଶବାସୀଙ୍କ ପାଖରୁ ଯାହା ଚାହିଁଛି ତାହା ମିଳିଛି। ହେଲେ ଏବେ ମୁଁ ସମସ୍ତ ନାଗରିକଙ୍କ ପାଖରୁ କିଛି ଚାହୁଁଛି। ଆସନ୍ତା ୨୨ ମାର୍ଚ୍ଚ ଅର୍ଥାତ ରବିବାର ଜନତା କର୍ଫ୍ୟୁ ପାଳନ ପାଇଁ ନିବେଦନ କରୁଛି। ସେଦିନ ଜରୁରୀ ସେବାରେ ଲାଗିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇବା। ରବିବାର ସନ୍ଧ୍ୟା ୫ଟାରେ ନିଜ ଘର ଦୁଆର ଆଗରେ ଛିଡ଼ା ହେବା। ଦୁଆର, ବାଲକୋନିରେ ଛିଡା ହୋଇ ସେମାନଙ୍କୁ ଧନ୍ୟବାଦ ଜଣାଇବା। ତାଳି ମାରି, ଥାଳି ଓ ଘଣ୍ଟି ବଜାଇ ସେମାନଙ୍କୁ କୃତଜ୍ଞତା ଜଣାଇବା।’


ସେ ଆହୁରି କହିଛନ୍ତି ଯେ ଜରୁରୀ ସ୍ଥିତି ବେଳେ ହସ୍ପିଟାଲ ଉପରେ ଚାପ ପଡ଼ିବା ଉଚିତ ନୁହେଁ। ସେଥିପାଇଁ ରୁଟିନ ଚେକପ ପାଇଁ ହସ୍ପିଟାଲ ଯିବା ଅଭ୍ୟାସ ଛାଡିବାକୁ ସେ ନିବେଦନ କରିଛନ୍ତି। ହସ୍ପିଟାଲ ଯାଇ ଗହଳି ନକରି ଡାକ୍ତରଙ୍କ ସହ ଫୋନରେ ପରାମର୍ଶ ନେବା ପାଇଁ କହିଛନ୍ତି। ‍କ୍ଷୀର, ଖାଦ୍ୟ ପଦାର୍ଥ ଓ ଔଷଧ ଅଭାବ ଯେପରି ଅଭାବ ନହେବ, ସେନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।

ଏହାସହ ଜରୁରୀ ଜିନିଷ ଅତ୍ୟଧିକ ମହଜୁଦ ନରଖି ଆବଶ୍ୟକତା ଅନୁସାରେ ରଖନ୍ତୁ। ବର୍ତ୍ତମାନ ସ୍ଥିତିରେ ସାରା ଦେଶବାସୀ ଏକାଠି ହୋଇ ଲଢିବାକୁ ଆହ୍ୱାନ ସେ ଦେଇଥିଲେ। ବିଶ୍ୱ ମହାସଙ୍କଟରେ ମଣିଷ ଜିତୁ ଓ ଭାରତ ଜିତୁ ବୋଲି ମୋଦି କହିଥିଲେ। ଏହାସହ କରୋନା ମୁକାବିଲା ପାଇଁ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଟାସ୍କ ଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି ପ୍ରଧାନମନ୍ତ୍ରୀ କହିଥିଲେ।

You might also like