ଆସନ୍ତାକାଲିଠୁ ଆପଣ ବି ଯାଇପାରିବେ ରାଷ୍ଟ୍ରପତି ଭବନ, ଜାଣନ୍ତୁ କେମିତି ପ୍ରବେଶ ଲାଗି ମିଳିବ ଅନୁମତି

କାଲିଠୁ ସମସ୍ତେ ଯିବେ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ। ଆଉ ଏଠାରେ ମାର୍ଚ୍ଚ ୨୧ ଯାଏ ଚାଲିବ ଉଦ୍ୟାନ ଉତ୍ସବ ବୋଲି ସୂଚନା ରହିଛି। ଦେଶବାସୀ ଫେବ୍ରୁଆରୀ ୧୩ରୁ ମାର୍ଚ୍ଚ ୨୧ ଯାଏ ସୋମବାର ବ୍ୟତିତ ପ୍ରତ୍ୟେକ ଦିନ ରାଷ୍ଟ୍ରପତି ଭବନ କ୍ୟାମ୍ପସ ପରିସରରେ ଥିବା ଏହି ପ୍ରସିଦ୍ଧ ଗାର୍ଡେନରେ ବୁଲି ଏହାର ଆନନ୍ଦ ଉଠାଇପାରିବେ। ଏଥିପାଇଁ ଆଗୁଆ ଅନଲାଇନରେ ଟିକଟ ବୁକିଂ କରି ହେବ। ଏହାସହ ଲୋକେ ଦେଖିପାରିବେ ଦେଶ ତଥା ବିଦେଶର ବିଭିନ୍ନ ଫୁଲ ଯାହା ଆଖି ଝଲସାଇବା ସହ ମନ ମୋହି ନେବ।

ରାଷ୍ଟ୍ରପତି ଭବନରେ ଥିବା ଫୁଲ

ନୀଳ ଆକାଶରେ ଫର୍ ଫର୍ ଉଡ଼େ ଜାତିର ଗୌରବ ଆଉ ତଳେ ଭଳି ଭଳିକା ଫୁଲଗାଲିଚାର ସ୍ଥିର ଚିତ୍ର ଟିଏ ଦେଖିବାକୁ ମିଳିବ। ଏ ସ୍ଥିର ଚିତ୍ର ରଙ୍ଗବେରଙ୍ଗ ଓ ମନଲୋଭା ଆଖିର ତୃଷ୍ଣା ମେଣ୍ଟାଉଥିବା ଶହ ଶହ ପ୍ରଜାତିର ପୁଷ୍ପ ସମଗ୍ର ପରିବେଶର ଶୋଭାବର୍ଦ୍ଧନ କରୁଛି। ଉଦ୍ୟାନ ଉତ୍ସବ ପାଇଁ ଏବେଠୁ ଖିଲି ଖିଲି ହସିଲେଣି ରାଷ୍ଟ୍ରପତି ଭବନ ସ୍ଥିତ ପ୍ରସିଦ୍ଧ ମୋଗଲ ଗାର୍ଡନର  ସବୁ ଫୁଲ। କରୋନା ଭଳି ଅସମୟରେ ଜନତାଙ୍କ ମନକୁ ଟିକେ ହାଲକା କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଖୋଲିଛି ମୋଗଲ ଗାର୍ଡନ।

ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରବେଶ ଲାଗି ସୁଯୋଗ ମିଳିବ, ବୁଲାବୁଲି ବେଳେ କିନ୍ତୁ କଟକଣା ରହିବ। ଫେବ୍ରୁଆରି ୧୩ ତାରିଖରୁ ପ୍ରତ୍ୟେକ ଦିନ ୧୦ଟାରୁ ସଂଧ୍ୟା ୪ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରବେଶ ଅନୁମତି ମିଳିବ। ଏବଂ ୫ଟାରେ ବଗିଚା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ବଗିଚାରେ ବୁଲିବା ବେଳେ ସାମାଜିକ ଦୂରତା ମାନବାକୁ ପଡ଼ିବ। ଏହାସହ ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାର୍ଡେନର ସଫା ସୁତୁରା ପାଇଁ ପ୍ରତ୍ୟେକ ସୋମବାର ପ୍ରବେଶ ନିଷେଧ ରହିବ। ପ୍ରବେଶ ପାଇଁ କେବଳ ଅନଲାଇନ୍ ବୁକିଂ ହିଁ ବୈଧ ରହିବ। ଏଥିପାଇଁ ରାଷ୍ଟ୍ରପତି ଭବନରେ ୱେବସାଇଟ rashtrapatisachivalaya.gov.in କୁ ଭିଜିଟ କରି ଟିକଟ ସଂଗ୍ରହ କରିବାକୁ ପଡ଼ିବ। ଏହା ସହ ପ୍ରବେଶ ଲାଗି ଗେଟ୍ ନମ୍ବର ୩୫ରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚଳିତ ଥରର ଉଦ୍ୟାନ ଉତ୍ସବକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତାକାଲିଠାରୁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲିବ। କେବଳ ଦିଲ୍ଲୀ କାହିଁକି ପଲ୍ଲୀବାସୀଙ୍କୁ ବି ଟାଣି ଆଣେ ମୋଗଲ ଗାର୍ଡେନର ଏ ଅପରୂବ ସୌନ୍ଦର୍ଯ୍ୟ।

You might also like