ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦେଇଛନ୍ତି। ୭ ତାରିଖରେ ଡେଥ୍ ୱାରେଣ୍ଟ ଜାରି ହେବା ଓ ପରେ କ୍ୟୁରେଟିଭ ପିଟିସନ ଖାରଜ ହୋଇଯିବା ପରେ ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂ ରାଜକ୍ଷମା ପାଇଁ ଆବେଦନ କରିଥିଲା। ତେବେ ଏହି ଆବେଦନକୁ ଖାରଜ କରିଦେବା ଲାଗି ଅନୁରୋଧ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲା ।

ଏଭଳି ଦୋଷୀକୁ ରାଜକ୍ଷମା ଆଦୌ ରାଜକ୍ଷମା ଦେବା କଥା ନୁହଁ ବୋଲି ଗୃହ ମନ୍ତ୍ରାଳୟ ଜଣାଇଥିଲା। ମଙ୍ଗଳବାର ସୁପ୍ରିମକୋର୍ଟ  କ୍ୟୁରେଟିଭ ପିଟିସନ ଖାରଜ କରିଦେଇଥିଲେ ।  ଯେ ପର୍ଯ୍ୟନ୍ତ ସମସ୍ତ ଦୋଷୀଙ୍କ ରାଜକ୍ଷମା ଆବେଦନର ବିଚାର ନ ସରିଛି, ସେ ପର୍ଯ୍ୟନ୍ତ ଫାଶି ଦିଆଯାଇପାରିବ ନାହିଁ ବୋଲି  ଦର୍ଶାଇଥିଲେ ତିହାର ଜେଲ୍ କର୍ତ୍ତୃପକ୍ଷ । ଏଣୁ ନୂଆ ଫାଶି ତାରିଖ ଘୋଷଣା କରିବା ଲାଗି କହିଥିଲେ ଜେଲ୍ କର୍ତ୍ତୃପକ୍ଷ ।

ତେବେ ଫାଶି ଦେବା ପୂର୍ବରୁ ୧୪ ଦିନ ସମୟ ଦେବାକୁ ଦିଲ୍ଲୀ ସରକାର ଯୁକ୍ତି କରିବା ପରେ ଫାଶି ତାରିଖ ଘୋଷଣା ବିଳମ୍ବ ହେବା ସମ୍ଭାବନା ରହିଛି । ସେପଟେ ଏଭଳି ଟଣାଓଟରାକୁ ନେଇ ଭାଙ୍ଗି ପଡ଼ିଛନ୍ତି ନିର୍ଭୟାଙ୍କ ମାଆ। ଫାଶି ତାରିଖରେ ବିଳମ୍ବ ଆଶଙ୍କା କରି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନାଥାଉ କି, ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂ(୨୫), ବିନୟ ଶର୍ମା(୨୬), ଅକ୍ଷୟ ସିଂ(୩୧) ଏବଂ ପବନ ଗୁପ୍ତା(୨୫)ଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ତିହାର ଜେଲରେ ଫାଶୀ ଦିଆଯାଇଥାନ୍ତା।

 

You might also like