‘କୃଷକ, ଯବାନ ଓ ବୈଜ୍ଞାନିକଙ୍କ ପାଇଁ ଏ ଦେଶ ଗର୍ବିତ’

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି , ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି , ଅନେକ ସମସ୍ୟା ଏବଂ କୋଭିଡ ଭଳି ବିପଦ ସତ୍ତ୍ୱେ ଆମର ପରିଶ୍ରମୀ କୃଷକ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି। ସେନାର ବାହାଦୂର ଯବାନ କଠୋରତମ ପରିସ୍ଥିତିରେ ମଧ୍ୟ ଦେଶର ସୀମାକୁ ସୁରକ୍ଷା ଯୋଗାଇଛନ୍ତି। ସିଆଚେନ୍ ଏବଂ ଗଲୱାନ ଘାଟିରେ ସଜାଗ ଯବାନଙ୍କ ବୀରତ୍ୱ, ଦେଶପ୍ରେମ ଓ ବଳିଦାନ ପାଇଁ ଦେଶ ସବୁବେଳେ ଗର୍ବିତ।

ଦିନରାତି ପରିଶ୍ରମ କରି କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ସହ ଖୁବ କମ ସମୟରେ ଟିକା ବିକଶିତ କରି , ଦେଶର ବୈଜ୍ଞାନିକ ଇତିହାସ ସୃଷ୍ଟି କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ନ୍ୟାୟ, ସ୍ୱତନ୍ତ୍ରତା, ସମତା ଏବଂ ଭାତୃଭାବ ଆମ ଜୀବନ ଦର୍ଶନର ସିଦ୍ଧାନ୍ତ ଅଟେ।

ରାଷ୍ଟ୍ର ନିର୍ମାଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏହି ମୂଲ୍ୟବୋଧ ଏକ ଆଦର୍ଶ ହୋଇଥିଲା। ଏହି ମୂଲ୍ୟବୋଧର ସାର୍ଥକତାକୁ ସମୟ ଅନୁସାରେ ସ୍ଥାପିତ କରିବା ପ୍ରତ୍ୟେକ ନୂଆପୀଢିର ଦାୟିତ୍ୱ ବୋଲି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

କାଲି ୭୨ ତମ ସାଧାରଣତନ୍ତ୍ର ଦିବସ। ସାରା ଦେଶ ପାଳିବ ଏହି ସମାରୋହ। ଏଥିପାଇଁ ରାଜଧାନୀ ଦିଲ୍ଲୀର ରାଜପଥରେ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏଥର କରୋନା ମହାମାରୀ ଲାଗି ସାଧାରଣତନ୍ତ୍ର ଦିବସ ସମାରୋହରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କରୋନା ମହାମାରୀ ବିପଦକୁ ନେଇ ସାଧାରଣତନ୍ତ୍ର ଦିବସରେ ଅଂଶଗ୍ରହଣ କରୁଥିବା କଣ୍ଟିଜେଣ୍ଟ୍ ସହ ପ୍ରଜ୍ଞାପନ ମେଢ ସଂଖ୍ୟା ହ୍ରାସ କରାଯାଇଛି।

କୋଭିଡ୍ କଟକଣା ସହ ସାମାଜିକ ଦୂରତାକୁ ମାନି ପାଳନ ହେବ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ। ପ୍ରଥମ ଥର ପାଇଁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ସାମିଲ ହେବେ ନାହିଁ। ୟୁକେରେ ନୂଆ କରୋନା ଷ୍ଟ୍ରେନ୍ ଭୟ ବଢାଇବା ପରେ, ନିଜ ଆଡ଼ୁ ଭାରତ ଗସ୍ତକୁ ବାତିଲ କରିଥିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ଗତବର୍ଷ ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

You might also like