ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ସଂକ୍ରମଣ ଶେଷ ହେବା ଚର୍ଚ୍ଚା ଅବାସ୍ତବ

ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ଚେତାବନୀ

ନୂଆଦିଲ୍ଳୀ: ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବଡ ଚେତାବନୀ। ଚଳିତ ବର୍ଷ ଶେଷ ସୁଦ୍ଧା ସଂକ୍ରମଣ ବନ୍ଦ ହୋଇଯିବା ଚର୍ଚ୍ଚାକୁ ଅବାସ୍ତବ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO। WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଡକ୍ଟର ମାଇକେଲ ରିୟାନ ଏହା କହିଛନ୍ତି। କୋଭିଡ ମହାମାରୀକୁ ଯଥା ସମ୍ଭବ ହ୍ରାସ କରିବା ଦିଗରେ WHO ପ୍ରାଥମିକତା ଦିଆଯାଉଛି । ତେବେ ନିକଟରେ ଆସିଥିବା ଟିକା ଦ୍ୱାରା ଆମେ ମହାମାରୀ ଜନିତ କାରଣରୁ ମେଡିକାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁକୁ ରୋକିପାରିବା ବୋଲି ସେ କହିଛନ୍ତି ।

ଡକ୍ଟର ମାଇକେଲ ରିୟାନ କହିଛନ୍ତି, ଯେଉଁ ଲୋକମାନେ ଭାବୁଛନ୍ତି ଖୁବଶୀଘ୍ର ଆମେ କରୋନା କାୟାରୁ ମୁକୁଳିଯିବୁ, ତାହା ବିଲକୁଲ ଅବାସ୍ତବ କଥା । କାରଣ କରୋନା ସବୁଦିନ ପାଇଁ ଆମ ସହିତ ରହିବ। ସମୟ ଆସିବା ପୂର୍ବରୁ ମହାକାରୀକୁ ହାଲୁକାରେ ନେବା ଆଦୌ ଗ୍ରହଣୀୟ ନୁହେଁ। କରୋନା ଭୂତାଣରୁ ରକ୍ଷା ପାଇ‍ବାକୁ ହେଲେ  ନିର୍ଦ୍ଦେଶାବଳୀ ଅନୁସରଣ କରିବା ନିହାତି ଜରୁରୀ। ବର୍ତ୍ତମାନ ବିଶ୍ୱର ଏକମାତ୍ର ଲକ୍ଷ୍ୟ ହେଉଛି କିଭଳି ଭାବେ କରୋନା ଭାଇରସ୍‌ ସଂକ୍ରମଣକୁ ହ୍ରାସ କରିବା। ଆଉ ଏଥିପାଇଁ ଟିକା ସାହାଯ୍ୟରେ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି। କିଛିକାଂଶରେ ଏହା ସଫଳ ମଧ୍ୟ ହୋଇଛି।  

ବର୍ତ୍ତମାନ ଭାଇରସ୍‌ ନିୟନ୍ତ୍ରଣରେ ଅଛି ବୋଲି ସେ ତାଙ୍କ ବିବୃତ୍ତିରେ କହିଛନ୍ତି। ହେଲେ ସଚେତନ ନହୋଇ  ନୂତନ ଷ୍ଟ୍ରେନର ଯେ ଭୟ ନାହିଁ ତାହାର ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ। ଏହି ବର୍ଷ ଶେଷ ସୁଦ୍ଧା କରୋନା ମହାମାରୀକୁ ପୂରାପୂରି ଭାବେ ଶେଷ କରିବା ପାଇଁ ଆହୁରି ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିପରି ବିଭିନ୍ନ ଦେଶରେ ବିକଶିତ ହେଉଥିବା ଟିକା ମହାମାରୀର ବିସ୍ଫୋରକ ବିସ୍ତାର ରୋକିବାରେ ସହାୟକ ହେଉଥିବା ଆଶ୍ୱସ୍ତିକର ଖବର ବୋଲି ଡକ୍ଟର ରିୟାନ କହିଛନ୍ତି ।

You might also like