ଦିଲ୍ଲୀ ହିଂସା ମାମଲାରେ ଗିରଫ ଜାମିଆ ଛାତ୍ରୀଙ୍କୁ ମିଳିଲା ବେଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲା ଗିରଫ ହୋଇଥିବା ଜାମିଆ ୟୁନିଭର୍ସିଟି ଛାତ୍ରୀ ବିକ୍ଷୋଭକାରୀ ସଫୋରା ଜାରଗରଙ୍କୁ ମିଳିଲା ବେଲ୍ । ସଫୋରା ଗର୍ଭବତୀ ଥିବାରୁ ତାଙ୍କୁ ବେଲ୍ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହିଂସା ମାମଲାରେ ତାଙ୍କ ବିରୋଧରେ ୟୁଏପିଏର କଠୋର ‘ଆଣ୍ଟି ଟେର୍‌ର୍ ଲ’ ଅଧୀନରେ ମାମଲା ହୋଇଛି। ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା ମାନବିକତା ଦୃଷ୍ଟିରୁ ବେଲ୍‌ ଆବେଦନକୁ ବିରୋଧ ନ କରିବାରୁ ସଫୋରାଙ୍କୁ ବେଲ୍ ମିଳିଛି।

ସଫୋରା ଜାରଗର ହେଛନ୍ତି ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିର ଏମ୍‌-ଫିଲ୍‌ ଛାତ୍ରୀ । ତା ସହିତ ଜାମିଆ କୋର୍ଡିନେସନ୍‌ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ସେ ବର୍ତ୍ତମାନ ୨୩ ସପ୍ତାହ ହେଲା ଗର୍ଭବତୀ ଅଛନ୍ତି। ଫେବ୍ରୁଆରୀରେ ହୋଇଥିବା ଦିଲ୍ଲୀ ଦଙ୍ଗା ପାଇଁ ତାଙ୍କୁ ଏପ୍ରିଲ୍‌ ମାସରେ ଗିରଫ କରାଯାଇଥିଲା।

ବେଲ୍ ଦେବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସଫୋରାଙ୍କୁ ଦିଲ୍ଲୀ ଛାଡ଼ି ନ ଯିବା ଓ ହିଂସା ଜନିତ ତଦନ୍ତରେ ଅସୁବିଧା ଉପୁଜାଇଲା ଭଳି କୌଣସି କାର୍ଯ୍ୟରେ ଲିପ୍ତ ନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଦିଲ୍ଲୀରୁ ବାହାରକୁ ଯାଆନ୍ତି ତେବେ ତାଙ୍କୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ତା ସହିତ ତଦନ୍ତ ପାଇଁ ସମ୍ପର୍କିତ ଅଫିସର୍‌ଙ୍କୁ ଅନ୍ତତଃପକ୍ଷେ ୧୫ ଦିନରେ ଥରେ ଫୋନ୍‌ ଯୋଗେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବେଲ୍ ପାଇଁ ୧୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକା ଓ ସମାନ ଅର୍ଥର ବଣ୍ଡ ଦାଖଲ କରିଛନ୍ତି ସଫୋରା।

 

 

 

You might also like