ଜମି ବିକିଲେ, କରଜ କଲେ ବାପା, ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ଜୀବନ ଯୁଦ୍ଧରେ ହାରିଗଲା କୁନି ଝିଅ

ପ୍ରୟାଗରାଜ: ଅର୍ଥ ପାଇଁ କେତେ ନିଷ୍ଠୁର ହୋଇପାରେ ମଣିଷ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏମାନଙ୍କ ହାତରେ ରହିଛି ସ୍ୱାସ୍ଥ୍ୟସେବା ଦାୟିତ୍ୱ। ହେଲେ ସ୍ୱାସ୍ଥ୍ୟସେବା ନାଁରେ ଏମାନେ ମଣିଷଙ୍କ ରକ୍ତ ଶୋଷୁଛନ୍ତି। ମାନବୀୟ ସମ୍ପର୍କ ଏମାନଙ୍କୁ ଭାବପ୍ରବଣ କରିପାରୁନି। କାହାର ବିକଳ କାନ୍ଦଣା ଏମାନଙ୍କ ନିଷ୍ଠୁର ହୃଦୟକୁ ତରଳାଇ ପାରୁନି। ଏମାନଙ୍କ ଆଖିରେ ଗୋଟିଏ ଜିନିଷ ନାଚୁଥାଏ, ତାହା ହେଉଛି ଟଙ୍କା। ସେଥିପାଇଁ ତ  ଯନ୍ତ୍ରଣାରେ ଜର୍ଜରିତ କଅଁଳ ଶିଶୁର ବିକଳ କାନ୍ଦ ଏମାନଙ୍କ ହୃଦୟକୁ ଛୁଇଁଲାନି । ଅଧା ଚିକିତ୍ସାରୁ କୁନି ଝିଅଟିକୁ ଡାକ୍ତରଖାନାରୁ ବାହାର କରିଦେଲେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଏଇ ଲୋକମାନେ । ଏମିତି ଏକ ଦୃଦୟସ୍ପର୍ଶୀ ଘଟଣା ଘଟିଛି ପ୍ରୟାଗରାଜରେ।

ଦେଶରେ ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆୟୁଷ୍କାନ ଭାରତଠାରୁ ଆରମ୍ଭ କରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ପ୍ରୟାଗରାଜରେ ଏକ ୩ ବର୍ଷର ଶିଶୁ ଅର୍ଥାଭାବରୁ ଯେଉଁ କଷ୍ଟ ଭୋଗୁଛି, ଜାଣିଲେ ଛାତି ଫାଟିଯିବ । କୁନି ଝିଅଟିର ପେଟରେ ଯନ୍ତ୍ରଣା ହେଉଥିଲା। ହେଲେ ପରିବାର ଲୋକଙ୍କ ପାଖରେ ଚିକିତ୍ସା ପାଇଁ ପଇସା ନ ଥିଲା। ତଥାପି ପରିବାର ଲୋକେ କଷ୍ଟେମଷ୍ଟେ କିଛି ଟଙ୍କା ଯୋଗାଡ କରି ଶିଶୁକୁ ଡାକ୍ତରଖାନା ଆଣିଥିଲେ । ହେଲେ ଝିଅ ସହ ଏପରି ଅମାନବୀୟ କାଣ୍ଡ ଘଟିଲା ଯେଉଁଥିପାଇଁ ଛଟପଟ ହୋଇ ଝିଅର ଜୀବନ ଚାଲିଗଲା। ପରିବାର ଲୋକେ ଟଙ୍କା ଦେଇ ନ ପାରିବାରୁ ଅସ୍ତ୍ରୋପଚାର ପରେ  ପେଟ ସିଲେଇ କଲେନି ଡାକ୍ତରୀ ଟିମ୍‌।  ଖୋଲା ପେଟରେ ଝିଅଟିକୁ ଡାକ୍ତରଖାନାରୁ ବାହାର କରିଦେଲେ।

ଡାକ୍ତରଖାନାର ଏପରି ଅମାନବୀୟ କାମ ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଏକ ଯାଞ୍ଚ କମିଟି ଗଠନ କରାଯାଇଛି। ବରିଷ୍ଠ ସ୍ୱାସ୍ଥ୍ୟ ସେବା ଅଧିକାରୀ ଏହି ଘଟଣାର ତଦନ୍ତ କରୁଛନ୍ତି। ଦୋଷୀଙ୍କୁ ଯଥାଶୀଘ୍ର ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଅନ୍ୟପକ୍ଷେ ରାଷ୍ଟ୍ରୀୟ ଶିଶୁ ସୁରକ୍ଷା ଆୟୋଗ (NCPCR) ପ୍ରୟାଗରାଜ କଲେକ୍ଟରଙ୍କୁ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି।

ପ୍ରୟାଗରାଜର କରେଲି ଥାନା ଅନ୍ତର୍ଗତ କରେହଦା ଅଞ୍ଚଳର ଏଇ କୁନି ଝିଅର ନାଁ ଖୁସି ମିଶ୍ରା। ଖୁସିର ପେଟରେ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଧୁମନଗଞ୍ଜର ରାଓତପୁର ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ପେଟରେ ଇନ୍‌ଫେକ୍ସନ ହୋଇଛି କହି ଶିଶୁର ପେଟ ଅପରେଶନ କରାଯାଇଥିଲା। ହେଲେ ସିଲେଇ ଜାଗାରେ କିଛିଟା ସମସ୍ୟା ରହିଥିଲା।

୪/୫ ଦିନ ପରେ ପୁଣି ଥରେ ଝିଅର ଅପରେଶନ କରାଗଲା। ଖୁସିର ବାପାଙ୍କ କହିବା ଅନୁଯାୟୀ, ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଥମେ ଦଢଲକ୍ଷ ଟଙ୍କା ମାଗିଥିଲେ। ବାପା ତାଙ୍କ ଭାଗରେ ଥିବା କିଛି ଜମି ବିକି, ଧାରଉଧାର କରି ଦେଢ ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ପଛରେ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ହେଲେ ଏତେ ଟଙ୍କା ଦେବା ପାଇଁ ବାପାଙ୍କ ପାଖରେ ସାମର୍ଥ୍ୟ ନ ଥିଲା । ଶେଷରେ ଡାକ୍ତରଖାନା ପ୍ରଶାସନ ଆଉ ଟଙ୍କା ନ ଦେଲେ ଝିଅର ଚିକିତ୍ସା ହୋଇ ପାରିବ ନାହିଁ କହି ପେଟକୁ ସିଲେଇ ନ କରି ଡାକ୍ତରଖାନାରୁ ବାହାର କରିଦେଲେ।

ଏହା ପରେ ଝିଅର ବାପା ଅନେକ ଡାକ୍ତରଖାନା ଦୌଡ଼ିଲେ। ହେଲେ କେହି ବି ଚିକିତ୍ସା ପାଇଁ ରାଜି ହୋଇ ନ ଥିଲେ। ସମସ୍ତେ କହିଥିଲେ, ଝିଅଟିର ଅବସ୍ଥା ଏତେ ଜଟିଳ ଅଛି ଯେ ତାକୁ ବଞ୍ଚାଇବା ସହଜ ନୁହେଁ। ଏମିତି ଡାକ୍ତରଖାନାରୁ ଡାକ୍ତରଖାନା ଦୌଡ ଭିତରେ ଶେଷରେ ଝିଅଟି ଜୀବନ ଯୁଦ୍ଧରେ ହାରି ଯାଇଥିଲା।

ଅନ୍ୟପକ୍ଷେ ଡାକ୍ତରଖାନା କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ମା’-ବାପାଙ୍କ ସହମତି କ୍ରମେ ଫେବ୍ରୁଆରୀ ୨୪ ତାରିଖରେ ଝିଅର ଅପରେଶନ ହୋଇଥିଲା। ଅଧିକ ଚିକିତ୍ସା ପାଇଁ ଝିଅକୁ ଅନ୍ୟଏକ ଡାକ୍ତରଖାନାକୁ ରେଫର କରାଯାଇଥିଲା। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଯେଉଁ ଡାକ୍ତରଖାନା ରେଫର କରିଥିଲେ ପରିବାର ଲୋକେ ସେଠାକୁ ନ ଯାଇ ଅନ୍ୟ ଏକ ଶିଶୁ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଝିଅର ମୃତ୍ୟୁ ଘଟିଛି। ତେବେ ଚିକିତ୍ସା ପାଇଁ ୧.୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ପରିବାର ଲୋକେ ମାତ୍ର ୬ ହଜାର ଟଙ୍କା ଦେଇଥିଲେ।

You might also like