ବିଜେପି ହାତେଇବ ପଶ୍ଚିମବଙ୍ଗ ?

ଫଳାଫଳ ଆସିବା ପୂର୍ବରୁ ହାର ମାନିଲେ ମମତାଙ୍କ ରଣନୀତିଜ୍ଞ ପ୍ରଶାନ୍ତ କିଶୋର

କୋଲକାତା : ଭାଙ୍ଗିବ କି ଟିଏମସି ଗଡ଼ ? ପଶ୍ଚିମବଙ୍ଗରେ ବିଜୟୀ ହେବ କି ଭାରତୀୟ ଜନତା ପାର୍ଟି ? ବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କ୍ଲ‍ବ ହାଉସ୍ ଆପ ଜରିଆରେ କିଛି ଭିଡ଼ିଓ ଜାରି କରିଛନ୍ତି । ଏହି ଭିଡିଓରେ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସ୍ୱୀକାର କରିଛନ୍ତି, ପଶ୍ଚିମବଙ୍ଗରେ ବିଜପି ବିଜୟୀ ହେବ । ଗେରୁଆ ରଙ୍ଗରେ ରଙ୍ଗୀନ ହେବ ରାଜ୍ୟ । ତେବେ ପ୍ରଶାନ୍ତ କିଶୋର, ବିଜପିର ଏହି ଦାବିକୁ ଖଣ୍ଡନ କିରବା ସହ ପୂରା ଭିଡିଓ ଜାରି କରିବା ପାଇଁ ଦାବି କରିଛନ୍ତି ।

କେବଳ ମୋଦିଙ୍କ ନାମରେ ବିଜେପିକୁ ଭୋଟ୍ ମିଳିବ । ପ୍ରଧାନମନ୍ତ୍ରୀ ଏଠାରେ ଖୁବ ଲୋକପ୍ରିୟ । ରାଜ୍ୟରେ ଧୃବୀକରଣ, ହିନ୍ଦୀ ଭାଷା ଓ ସୁପ୍ରିମକୋର୍ଟ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି ।  ମତୁଆ ସଂପ୍ରଦାୟ ବଡ଼ ସଂଖ୍ୟାରେ ମୋଦିଙ୍କୁ ଦୃଷ୍ଟିରେ ରଖି ବିଜେପିକୁ ଭୋଟ୍ ଦେବେ । ବଙ୍ଗରେ ଏବେ ସ୍ପଷ୍ଟ ରୂପେ ସରକାର ବିରୋଧୀ ଲହର ଦେଖିବାକୁ ମିଳୁଛି । ପୂର୍ବରୁ ସବୁବେଳେ ପଶ୍ଚିମବଙ୍ଗରେ ମୁସଲମାନ  ଭୋଟ୍ କଥା ଉଠୁଥିଲା । ଆଉ ଏବେ ପ୍ରଥମ ଥର ପାଇଁ ହିନ୍ଦୁ ଭୋଟ କଥା ଉଠିଛି । ପ୍ରଧାନମନ୍ତ୍ରୀ ହିନ୍ଦିଭାଷୀ ହୋଇଥିବାରୁ ଏହା ମଧ୍ୟ ତାଙ୍କ ପାଇଁ ପ୍ଲସ ପଏଣ୍ଟ୍ ସାବ୍ୟସ୍ତ ହେଉଛି ବୋଲି ଭିଡିଓରେ ଶୁଣିବାକୁ ମିଳୁଛି ।  ଆଜି ସକାଳେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ଗୋଟିଏ ପରେ ଗୋଟିଏ ଅନେକ ଭିଡିଓ ଟ୍ୱିଟ୍ କରିଛନ୍ତି । ଭିଡିଓଟି କ୍ଲବ୍ ହାଉସ ଆପ୍ଲିକେସନରେ ଚାଲିଥିବା ଚର୍ଚ୍ଚାର ଅଡିଓ ରେକର୍ଡିଂ ଅଟେ, ଏଥିରେ କିଛି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ପ୍ରଶାନ୍ତ କିଶୋର ।

ଅଡିଓ ଆଧାରରେ ବିଜେପି ଦାବି କରୁଛି, ନିଜେ ପ୍ରଶାନ୍ତ କିଶୋର ମମତା ବାନାର୍ଜୀଙ୍କ ପରାଜୟ ସ୍ୱୀକାର କରିଛନ୍ତି । ତେବେ ପ୍ରଶାନ୍ତ କହିଛନ୍ତି ଯେ, ସତ ସାମ୍ନାକୁ ଆଣିବାକୁ ହେଲେ ବିଜେପି ସମ୍ପୂର୍ଣ୍ଣ ଭିଡ଼ିଓ ଜାରି କରୁ । ସମ୍ପୂର୍ଣ୍ଣ ଭିଡିଓ ରିଲିଜ୍ ହେବା ପରେ  ସତ୍ୟ ସାମ୍ନାକୁ ଆସିଯିବ । ଅନ୍ୟପଟେ ବିଜେପିକୁ କଟାକ୍ଷ କରି ପ୍ରଶାନ୍ତ କିଶୋର କହିଛନ୍ତି, ଦଳୀୟ ନେତାଙ୍କ ଅପେକ୍ଷା ବିଜେପି ତାଙ୍କ କଥାକୁ ବେଶୀ ଗୁରୁତ୍ୱ ଦେଉଥିବାରୁ ସେ ବହୁତ ଖୁସି ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଆଜି ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି।  ସକାଳ ୭ଟାରୁ ଆରମ୍ଭ ହୋଇଛି   ଭୋଟଗ୍ରହଣ।  ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୧୧, ହୁଗଲିର ୧୦, ହାଓଡ଼ାର ୯, କୁଚବିହାରର ୯ ଓ ଆଲିପୁରଦ୍ୱାରର ୫ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଏଥର ୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏକ କୋଟି ୧୫ ଲକ୍ଷରୁ ଅଧିକ ଭୋଟର । ୧୫ ହଜାର ୯୪୦ଟି ମତଦାନ କେନ୍ଦ୍ରରେ ଭୋଟ୍ ଚାଲିଥିବାବେଳେ ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିେଓ୍ୱଟ୍ ନେତା। ବରିଷ୍ଠ ଟିଏମ୍‌ସି ନେତା ତଥା ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ, କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ, ଉତ୍ତର ବେଙ୍ଗଲ ଉନ୍ନୟନ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ଏବଂ ୩ ଜଣ ବିଜେପି ସାଂସଦ ରହିଛନ୍ତି।

You might also like