ମ୍ୟାଜିକ୍‌ ନମ୍ବର ପାଇଁ ଗୋଆରେ ଛକାପଞ୍ଝା

ପାଣାଜି: ବିଜେପିର ବରିଷ୍ଠ ନେତା ମନୋହର ପାରିକରଙ୍କ ଦେହାନ୍ତ ପରେ ଯୁବ ନେତା ପ୍ରମୋଦ ସାୱନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ତାଙ୍କ ସପକ୍ଷରେ ବହୁମତ ଥିବା ଆସନ୍ତାକାଲି ସେ ପ୍ରମାଣ ଦେବେ। ଏପଟେ ଏବେ ବି ରାଜ୍ୟରେ ସରକାର ଗଠନକୁ ନେଇ ଛକାପଞ୍ଝା ଲାଗି ରହିଛି। କାରଣ ଉଭୟ ବିଜେପି ଓ କଂଗ୍ରେସ୍‌ ପାଖରେ ବହୁମତ ନାହିଁ। ଏପରି ସ୍ଥିତିରେ ୩ ଜଣ ସ୍ୱାଧୀନ ବିଧାୟକ ଓ ଜଣେ ଏନ୍‌ସିପି ବିଧାୟକଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ, ୪୦ ଆସନ ବିଶିଷ୍ଠ ଗୋଆ ବିଧାନସଭାରେ ଏବେ ୩୬ ଜଣ ସଦସ୍ୟ ଅଛନ୍ତି। ତେଣୁ ବହୁମତ ପାଇଁ ୧୯ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ୧୨ ବିଧାୟକ ଅଛନ୍ତି। ଦଳକୁ ଗୋଆ ଫରୱାର୍ଡ ପାର୍ଟି ଓ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସମର୍ଥନ ରହିଛି। ଏହି ଦୁଇ ଦଳରେ ୩ ଜଣ ଲେଖାଏଁ ବିଧାୟକ ଅଛନ୍ତି। ଅର୍ଥାତ ମ୍ୟାଜିକ୍‌ ନମ୍ବର ପାଇଁ ବିଜେପିକୁ ଜଣେ ବିଧାୟକଙ୍କ ସମର୍ଥନ ଦରକାର।

ସେହିପରି କଂଗ୍ରେସର ୧୪ଜଣ ବିଧାୟକ ଅଛନ୍ତି। ତେଣୁ ଜଣେ ବିଧାୟକ ଥିବା ଏନସିପି ଓ ତିନି ଜଣ ସ୍ୱାଧୀନ ବିଧାୟକ ଆସନ୍ତାକାଲି ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି।

ଗତକାଲି ଏକ ନାଟକୀୟ ଘଟଣା କ୍ରମରେ ରାତି ୨ଟାରେ ରାଜ୍ୟପାଳ ମୃଦୁଳା ସିହ୍ନା ପ୍ରମୋଦଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ପୂର୍ବରୁ ବାଚସ୍ପତି ଥିବା ପ୍ରମୋଦ ସିହ୍ନା ମନୋହର ପାରିକର ଅସୁସ୍ଥତା ପରଠାରୁ ଗୋଆ ରାଜନୀତିରେ ସକ୍ରିୟ ଭୂମିକା ନେଉଥିଲେ।

ଶପଥ ନେବା ପରେ ପ୍ରମୋଦ କହିଥିଲେ, “ଆଗାମୀ ଦିନରେ ମନୋହର ପାରିକରଙ୍କ ସ୍ୱପ୍ନକୁ ସାକାର କରିବାକୁ ମୁଁ ଚେଷ୍ଟା କରିବି।”

ପ୍ରମୋଦଙ୍କ ସହ ଗୋଆ ଫରୱାର୍ଡ ପାର୍ଟି ମୁଖ୍ୟ ବିଜୟ ସରଦେଶାଇ ଓ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ବିଧାୟକ ସୁଦିନ ଡାଭାଲିକର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ମନୋହାର ପାରିକରଙ୍କ ଦେହାନ୍ତ ପରେ ସାରା ରାଜ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରୁ ଫାଇଦା ଉଠାଇବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା ଲାଗି ଯାଇଥିଲା। ବିଜେପି ପକ୍ଷରୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଘନଘନ ବୈଠକ ହେଉଥିବା ବେଳେ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲା।

ପ୍ରମୋଦଙ୍କ ରାତିଅଧିଆ ଶପଥ ଗ୍ରହଣକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବିଜେପି କେବଳ କ୍ଷମତାରେ ରହିବା ପାଇଁ ଏଭଳି କରୁଛି ବୋଲି କଂଗ୍ରେସର ବରିଷ୍ଠ ନେତା ସଂଜୟ ନିରୂପମ ଅଭିଯୋଗ କରିଛନ୍ତି।

You might also like