ନିଜ ଦଳରୁ ବହିଷ୍କୃତ ହେଲେ ଓଲି

କାଠମାଣ୍ଡୁ: ନେପାଳରେ ଘନଉଛି ରାଜନୈତିକ ସଂକଟ। ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଦ କରିଛି କେନ୍ଦ୍ରୀୟ କମିଟି। ଓଲିଙ୍କ ବିରୋଧୀ ତଥା ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ଗୋଷ୍ଠୀ କେନ୍ଦ୍ରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବେଳେ, ଏନେଇ ପ୍ରବକ୍ତା ନାରାୟଣ କାଜୀ ଶ୍ରେଷ୍ଠ ଘୋଷଣା କରିଛନ୍ତି।

ଗତବର୍ଷ ଡିସେମ୍ବର ୨୨ରେ କମ୍ୟୁନିଷ୍ଟ ପାର୍ଟି ସହ-ଅଧ୍ୟକ୍ଷ ପଦରୁ ଓଲିଙ୍କୁ ବିଦା କରାଯାଇଥିଲା। ଗତବର୍ଷ ଡିସେମ୍ବର ୨୦ରେ ଓଲିଙ୍କ ପକ୍ଷରୁ ସଂସଦ ଭଙ୍ଗ ଓ ଚଳିତବର୍ଷ ଏପ୍ରିଲ କିମ୍ବା ମେ ମାସରେ ନିର୍ବାଚନ କରାଯିବା ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ଏହି ଗୋଷ୍ଠୀର ନେତାମାନେ ଗତ ଶୁକ୍ରବାର ବିରୋଧ ଶୋଭାଯାତ୍ରା କରିଥିଲେ।

ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ କିଛି ନିଷ୍ପତ୍ତିକୁ ନେଇ ଭାରତରେ ନାନା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଥିଲେ। ଭାରତର ଦୂରଦର୍ଶନକୁ ଛାଡ଼ି ନେପାଳ ସମସ୍ତ ନ୍ୟୁଜ ଚ୍ୟାନେଲ ଉପରେ ରୋକ୍ ଲଗାଇଥିଲା।

ସେହିପରି ପ୍ରଭୁ ଶ୍ରୀରାମ ଓ ତାଙ୍କ ଜନ୍ମସ୍ଥଳୀକୁ ନେଇ ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ କେ.ପି.ଶର୍ମା ଓଲି। ପ୍ରଧାନମନ୍ତ୍ରୀ ନିବାସରେ ଭାନୁ ଜୟନ୍ତୀ ଅବସରରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଲି ଭାରତ ବିରୋଧରେ ସାଂସ୍କୃତିକ ତଥ୍ୟ ଅତିକ୍ରମଣର ଅଭିଯୋଗ ଲଗାଇଥିଲେ।

ନେପାଳୀ ମିଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଓଲି କହିଥିଲେ ଯେ ଆମେ ଆଜି ପର୍ଯ୍ୟନ୍ତ ଭ୍ରମରେ ଥିଲୁ ଯେ ସୀତାଙ୍କ ବିବାହ ଯେଉଁ ଭଗବାନ ଶ୍ରୀରାମଙ୍କ ସହ ହୋଇଥିଲା, ସେ ଭାରତୀୟ କିନ୍ତୁ ପ୍ରକୃତରେ ଭଗବାନ ଶ୍ରୀରାମ ଭାରତୀୟ ନୁହନ୍ତି, ନେପାଳୀ। ଓଲିଙ୍କ ଏଇ ମନ୍ତବ୍ୟକୁ ନେଇ ପୁଣି ଏକ ବଡ଼ ବିବାଦ ଠିଆ ହୋଇଥିଲା। ତେବେ ଓଲିଙ୍କ ଏଭଳି ବୟାନଙ୍କୁ ଅଯୋଧ୍ୟାର ସାଧୁସଂନ୍ଥ ନିନ୍ଦା କରିଥିଲେ।

You might also like