ସୁନାମୀ ଦୁଃଖ ନଯାଉଣୁ ପୁଣି ଭୂମିକମ୍ପ

ଜାକର୍ତ୍ତା: ପୁଣି ଇଣ୍ଡୋନେସିଆରେ ଭୂମିକମ୍ପ। ସୁନାମୀର ତାଣ୍ଡବ ପରେ ପୁଣି ଇଣ୍ଡୋନେସିଆରେ ଭୁମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଇଣ୍ଡୋନେସିଆର ସୁମ୍ବା ଦ୍ୱୀପରେ ଆଜି ଏହି ଭୁମିକମ୍ପର ଝଟ୍‌କା ଅନୁଭୂତ ହୋଇଛି।  ରିକ୍ଟର ସ୍କେଲ୍‌ରେ ଏହି ଭୁମିକମ୍ପର ତୀବ୍ରତା ୫.୯ ରେକର୍ଡ ହୋଇଛି।

ଆଜି ଅନୁଭୂତ ହୋଇଥିବା ଭୂମିକମ୍ପକୁ ନେଇ କୌଣସି ସୁନାମି ଆଲର୍ଟ ଜାରି କରାଯାଇ ନାହିଁ। ଏଥିସହ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ସୂଚନା ମିଳିନାହିଁ। ସକାଳ ୭ଟା ୧୬ ମିନିଟ୍‌ ସମୟରେ ଦକ୍ଷିଣ-ପଶ୍ଚିମ ସୁମ୍ବାର ୬୬କି.ମି. ଦୂରରେ ଏହି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

ଗତ ୪ ଦିନ ତଳେ ଭୂମିକମ୍ପ ଏବଂ ସୁନାମୀର ତାଣ୍ଡବରେ ଇଣ୍ଡୋନେସିଆରେ ‍‍‍‍‍ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୯୦୦ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେପଟେ ଇଣ୍ଡୋନେସିଆକୁ ସାହାଯ୍ୟର ହାତ ବଢ଼ାଇଛି ଭାରତ। ଏବେବି  ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ନୌସେନାର ତିନିଟି ଜାହାଜକୁ ପଠାଯାଇଛି।

You might also like