ପାଇଲଟ ନାଟକର ସୁଖଦ ଅବସାନ; ଘରକୁ ବାହୁଡ଼ିବେ ସଚିନ

ଜୟପୁର: ରାଜସ୍ଥାନ ରାଜନୀତିରେ ପାଇଲଟ ନାଟକର ସୁଖଦ ଅବସାନ ହେବାକୁ ଯାଉଛି ! ଦୀର୍ଘ ୩୨ ଦିନର ବିବାଦ, ବିଦ୍ରୋହ ଓ ବିଚ୍ଛେଦ ପରେ ଶେଷରେ କଂଗ୍ରେସ ସହ ମନ ମିଳାଇଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍। ସଚିନ୍ ପାଇଲଟ କଂଗ୍ରେସ ଦଳ ସରକାର ଓ ଦଳୀୟ ସ୍ୱାର୍ଥ ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଏକ ଉଲ୍ଲେଖନୀୟ ଘଟଣା କ୍ରମେ ରାହୁଲ ଗାନ୍ଧି ଓ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ ସଚିନ ପାଇଲଟ । ଏହି ବୈଠକରେ ସଚିନ ତାଙ୍କ କ୍ଷୋଭ ଓ ଅଭିଯୋଗ ବାଢ଼ିଥିଲେ । ସଚିନଙ୍କ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗର ଅନୁଧ୍ୟାନ ଲାଗି ଦଳର ମଧ୍ୟବର୍ତ୍ତିକାଳୀନ ସଭାପତି ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ଏକ ତିନି ଜଣିଆ ପ୍ୟାନେଲ ଗଠନ ହୋଇଛି। ସମସ୍ୟାର ସମାଧାନ ପାଇଁ ରାହୁଲ ଗାନ୍ଧି ବି ସଚିନଙ୍କୁ ଆଶ୍ୱାସନା ଦେଇଛନ୍ତି।

ଆସନ୍ତା ଅଗଷ୍ଟ ୧୪ ତାରିଖରୁ ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବ । ତା ପୂର୍ବରୁ ସରକାରଙ୍କ ପ୍ରତି ଅନୁଗତ ବିଧାୟକଙ୍କର ବି ସମର୍ଥନ ରହିଥିବା ନେଇ ପାଇଲଟଙ୍କ ଘୋଷଣା ପରେ ଏହି ବିବାଦର ଅନ୍ତ ହୋଇଥିବାରୁ ରାଜସ୍ଥାନ କଂଗ୍ରେସ ସରକାର ଉପରୁ ବିପଦ ଟଳି ଯାଇଛି।

You might also like