ଦାମ୍ପତ୍ୟ କଳହର ଭୟଙ୍କର ପରିଣତି: ଗୁଳିକରି ପତ୍ନୀ, ଶାଶୂ, ଶ୍ୱଶୁରଙ୍କୁ ହତ୍ୟାକଲେ ପୋଲିସ କର୍ମଚାରୀ

ଜମ୍ମୁ: ଦାମ୍ପତ୍ୟ କଳହ କେତେ ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀରରେ। ଜଣେ ପୋଲିସ କର୍ମଚାରୀ ପତ୍ନୀଙ୍କ ସହ ଝଗଡ଼ା କରି ନିଜର ପତ୍ନୀଙ୍କ ସହ ଶାଶୂ ଓ ଶ୍ୱଶୁରଙ୍କୁ ହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଏଭଳି ଭୟଙ୍କର କାଣ୍ଡ ଘଟିଛି  ।

ଇଣ୍ଡିଆନ ରିଜର୍ଭ ପୋଲିସ (IRP)  କର୍ମଚାରୀ  ରାଜେନ୍ଦ୍ର କୁମାର ହଠାତ୍‌ ତାଙ୍କ ଶାଶୂଙ୍କ ଘରରେ ପହଞ୍ଚିଲେ। ତାଙ୍କ ଘର ଭିତରକୁ ପଶି ପତ୍ନୀଙ୍କ ସହ ଝଗଡ଼ା କରିଥିଲେ। ଏହାପରେ ଉତ୍ତ୍ୟକ୍ତ ରାଜେନ୍ଦ୍ର ନିଜ ପାଖରେ ରଖିଥିବା ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ। ଫଳରେ ରାଜେନ୍ଦ୍ରଙ୍କ ପତ୍ନୀ ସୀମା, ଶାଶୂ ରାଜକୁମାରୀ ଏବଂ ଶ୍ୱଶୁର ରମେଶ କୁମାରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ତେବେ ରାଜେନ୍ଦ୍ରଙ୍କ ଶଳା ଏବଂ ଅନ୍ୟ ଜଣେ କକା ଶ୍ୱଶୁର ଅନ୍ୟଘରେ ଶୋଇଥିବାରୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ପୋଲିସ ଅଧିକାରୀ କହିଛନ୍ତି। ତିନିଜଣଙ୍କୁ ହତ୍ୟା କରିବା ପରେ ରାଜେନ୍ଦ୍ର ଘଟଣାରସ୍ଥଳରୁ ଫେରାର ହୋଇ ଯାଇଥିଲେ। ତେବେ ପୋଲିସ ପରେ ତାଙ୍କୁ ଗିରଫ କରିଛି।

ପୋଲିସ ଜମ୍ମୁର ଜିଏମସି ଡାକ୍ତରଖାନାରେ ମୃତଦେହର ବ୍ୟବଚ୍ଛେଦ କରାଇଛି। ତେବେ ମୃତକଙ୍କୁ ଦେଖିପା ପାଇଁ ଡାକ୍ତରଖାନାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି।

You might also like